ପ୍ରଦୂଷଣ ହେଉଛି କେନ୍ଦ୍ରାପଡା କେନାଲ
ଫିଙ୍ଗା ଯାଉଛି ଗଦା ଗଦା ଅଳିଆ ଆବର୍ଜନା ଓ ଅଇଁଠା ପତ୍ର
ଜଗତପୁର(ଏନ୍.ଏମ୍.): କଟକରେ ସ୍ୱଚ୍ଛତା ପାଇଁ ଡିଣ୍ଡିମ ପିଟାଯାଉଥିବାବେଳେ ସରକାରଙ୍କ ପକ୍ଷରୁ ପ୍ରଚଳିତ ସ୍ୱଚ୍ଛ ଭାରତ ଅଭିଯାନ ଏଠାରେ ବିଫଳ ହେଉଛି । ଯାହା ସହରରେ ସ୍ୱଚ୍ଛତା କେବଳ କାଗଜକଲମରେ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲୁଛି । ନିୟମିତ ଘରକୁ ଘର ଆବର୍ଜନା ସଂଗ୍ରହ ହେବା, ଆବର୍ଜନାଗୁଡ଼ିକୁ ଏମସିସି କେନ୍ଦ୍ରରେ ପ୍ରୋସେସିଂ କରି କମ୍ପୋଷ୍ଟ ତିଆରି କରିବା ପାଇଁ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ କେନାଲ ଭିତରକୁ ଆବର୍ଜନା ଫିଙ୍ଗାଯାଉଛି । ଏହାକୁ ନେଇ ଅଞ୍ଚଳରେ ପରିବେଶବିତମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ ସିଏମସି କର୍ତ୍ତୃପକ୍ଷ ବେଫିକର ହୋଇ ବସିଯାଇଛନ୍ତି ।
ସୂଚନା ଅନୁଯାୟୀ ସିଏମସି ୪୮ନମ୍ବର ୱାର୍ଡ ଜଗତପୁର ଦେଇ ଯାଇଥିବା କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ କେନାଲ ଭିତରକୁ କୁଢ କୁଢ ଅଳିଆ ଆବର୍ଜନ ଫିଙ୍ଗା ଯାଉଥିବା ଦେଖିବାକୁ ମିଳିଛି । ମହାନଦୀ ଜିରୋ ପଏଣ୍ଟରୁ ଆରମ୍ଭ ଏହି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ହାଇଲେବୁଲ କେନାଲଟି ଜଗତପୁର ୪୮ ଓ ୪୯ନମ୍ବର ୱାର୍ଡ ଦେଇ ବହିଯାଇଛି । ଚାଷ ଜମିକୁ ପାଣି ମଡାଇବା ପାଇଁ ଚାଷୀମାନେ ସାଧାରଣତଃ ଏହି କେନାଲ ଉପରେ ନିର୍ଭର କରୁଥିବାବେଳେ ତଳମୁଣ୍ଡରେ ଲୋକେ ଏହି ପାଣିକୁ ନେଇ ପାନୀୟ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି । ପୁନଶ୍ଚ ଲୋକମାନେ ଏହି କେନାଲରେ ସ୍ନାନାଦି ନିତ୍ୟକର୍ମ କରନ୍ତୁ କିନ୍ତୁ ଏହି କେନାଲର ମଧ୍ୟକୁ ବିଭିନ୍ନ ପ୍ରକାର ଘରୋଇ ବର୍ଜ୍ୟବସ୍ତୁ ଓ ଅଇଁଠା ପତ୍ର ପକାଯାଇ କେନାଲ ପାଣିକୁ ସମ୍ପୂର୍ଣ୍ଣ ପ୍ରଦୂଷଣ କରାଯାଉଥିବା ଯୋଗୁଁ ସନ୍ତୋଷ ତେଜୁଛି । ଏପରିକି ମହାନଦୀ ବ୍ୟାରେଜ ମୁଣ୍ଡରେ ବିକ୍ରି ହେଉଥିବା ଦହିବରା ଦୋକାନୀମାନେ ଲୋକମାନଙ୍କର ଅଇଁଠା ପତ୍ର ଏବଂ ବାସୀ ତରକାରୀ ଏହି କେନାଲ ମଧ୍ୟକୁ ଫିଙ୍ଗି ଦେଇଥିବାର ନଜୀର ରହିଛି । ସେହିପରି ୪୮ନମ୍ବର ୱାର୍ଡର ଲୋକମାନଙ୍କ ଘରୁ ଆବର୍ଜନା ସଂଗ୍ରହ କରାଯାଇ କେନାଲ ଭିତରକୁ ଭିଙ୍ଗା ଯାଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ କେନାଲ ପାଣି ବ୍ୟବହାର କରୁଥିବା ଲୋକେ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କେନ୍ଦ୍ରାପଡା କେନାଲ ମଧ୍ୟକୁ ଏହି ଆବର୍ଜନା ଫିଙ୍ଗିବା ଉପରେ ଅଙ୍କୁଶ ଲଗାଇ ଏହାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ୪୮ନମ୍ବର ୱାର୍ଡ କଂଗ୍ରେସ ଯୁବ ନେତା ମାନସ ନାୟକ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ୱାର୍ଡ଼ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।