ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ !
ଜଗତପୁର(ଏନ୍.ଏମ୍.): ଆସନ୍ତା ପୌରନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୁକ୍ତ ତାରିଖ ଘୋଷଣା କରିବା ପରେ ଏବେ କଟକ ମହାନଗର ନିଗମରେ ବିଭିନ୍ନ ଦଳୀୟ ଶିବିରରେ ବିଗୁଲ ବାଜିବା ଆରମ୍ଭ ହୋଇଛି । କେଉଁ ୱାର୍ଡ଼ରେ କେଉଁଦଳ କାହାକୁ ପ୍ରାର୍ଥୀ କରାଇବ ସେ ନେଇ ଅଙ୍କକଷା ମଧ୍ୟ ଆରମ୍ଭ ହୋଇ ଯାଇଛି । ତେବେ ପ୍ରତ୍ୟେକ ଦଳ ଏବେ ବୁସ୍ତସ୍ତରରେ ସଂଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଆଶାୟୀଙ୍କ ମଧ୍ୟରେ ଅଧିକାଂଶ ନୂଆମୁହଁ ଉପରେ ପ୍ରାଧାନ୍ୟ ଦିଆଯାଉଛି । ପୂର୍ବରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇ ଭୋଟରଙ୍କ ଅସନ୍ତୋଷର କାରଣ ହୋଇଥିବା ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକଙ୍କୁ ଦଳ ପ୍ରାର୍ଥୀ ନକରିବା ଉପରେ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ତେବେ କେତେକ ୱାର୍ଡ଼ରେ ଦଳରେ ଥିବା ଆଶାୟୀମାନେ ଟିକେଟ ନପାଇବା ଆଶଙ୍କାରେ ନିଜର ବ୍ୟକ୍ତିଗତ ସମର୍ଥକଙ୍କୁ ଏକାଠି କରି ସ୍ୱାଧୀନ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ତେବେ ସିଏମସି ୪୯ ନମ୍ବର ୱାର୍ଡ଼ରେ ଗତ କାଉନସିଲ ନିର୍ବାଚନ ଭଳି ଏଥର ମଧ୍ୟ ଶାସକ ଦଳର ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଗତ ନିର୍ବାଚନରେ ଶାସକ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଅସନ୍ତୁଷ୍ଟ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ପୁଣି ଶାସକ ଦଳରେ ସାମିଲ ହୋଇଥିଲେ । ତେବେ ଏଥର ମଧ୍ୟ ସେହିଭଳି ଅସନ୍ତୁଷ୍ଠ ଆଶାୟୀ ଶାସକ ଦଳକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଯଥେଷ୍ଟ ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି । ତେବେ ଏହି ୱାର୍ଡ଼ରେ ବିଜେପି ନିଜର ସ୍ଥିତି ଜାହିର କରିବାରେ ଅସମର୍ଥ ହୋଇଛି । ଏଠାରେ ବିଜେପିର କର୍ମୀମାନେ ଥିଲେ ମଧ୍ୟ ଦଳୀୟ ନେତୃତ୍ୱର ଅଭାବ ଯୋଗୁଁ ଏହି ୱାର୍ଡ଼ରେ ବିଜେପି ନିଜର ପତିଆରା ଦେଖାଇ ପାରୁନଥିବା ଚର୍ଚ୍ଚା ହେଉଛି । ସେହିଭଳି କଂଗ୍ରେସ ଦଳ ଏହି ଅଞ୍ଚଳରେ ଲୋକମାନଙ୍କ ସାଙ୍ଗରେ ରହିଥିବା ଯୋଗୁଁ ଏହି ୱାର୍ଡ଼ଟି କଂଗ୍ରେସ ହାତକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ୱାର୍ଡ଼ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି ।
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ଆଗାମୀ ମାର୍ଚ୍ଚ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହାପୂର୍ବରୁ ଆସନ୍ତା ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ମାର୍ଚ୍ଚ ୯ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୧୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୨୬ତାରିଖ ସକାଳ ୮ଟାରୁ ଭୋଟଗଣତି ହେବ । ତେଣୁ ସିଏମସିର ୪୯ ନମ୍ବର ୱାର୍ଡ଼ ଜଗତପୁର ପ୍ରତି କଟକ ସହରବାସୀଙ୍କ ନଜର ରହିଛି । ଏହି ୱାର୍ଡଟି ଏସ୍.ଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଜନସାଧାରଣ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ତେଣୁ ସମସ୍ତ ଦଳରେ ନୂଆ ମୁହଁକୁ ନେଇ ନିର୍ବାଚନ ଲଢାଯିବାର ସୁଯୋଗ ରହିଛି । ବିଶେଷ କରି ପୂର୍ବରୁ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଅପେକ୍ଷା କରିଥିବା ଆଶାୟୀ ନିର୍ବାଚନ ମଇଦାନକୁ ଓହ୍ଲାଇବାର ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଇତି ମଧ୍ୟରେ ୱାର୍ଡରେ ପ୍ରାର୍ଥୀ ଚୟନକୁ ନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି । ସବୁ ଠାରୁ ବଡ କଥା ହେଉଛି, ସିଏମସିର କାଉନସିଲ ଗଠନ ହେବା ପରଠାରୁ ଏହି ୱାର୍ଡରେ କଂଗ୍ରେସ ପ୍ରାର୍ଥି ଥରୁଟିଏ ମଧ୍ୟ ବିଜୟୀ ହୋଇପାରି ନାହାନ୍ତି । ତେଣୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଏହି ୱାର୍ଡରେ କିଭଳି ତାଙ୍କ ଦଳୀୟ ପ୍ରାର୍ଥିନୀଙ୍କୁ ବିଜୟର ମୁକୁଟ ପିନ୍ଧାଇବେ, ସେଥିପାଇଁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରୁଛନ୍ତି । କଟକ ମହାନଗର ନିଗମରେ ଦୀର୍ଘ ବର୍ଷ ଧରି ବିଜେଡିର ଦପଦପା ଥିବାବେଳେ ବିଜେଡିର ଅର୍ନ୍ତକନ୍ଦଳ ଦଳକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି ।