ପୋଲ ତଳେ ବିତୁଛି ଭିନ୍ନକ୍ଷମଙ୍କ ଜୀବନ: ଡେପୁଟି ମେୟରଙ୍କ ନିଜ ୱାର୍ଡରେ ଏଭଳି ଚିତ୍ର
ଜଗତପୁର (ଏନ୍.ଏମ୍.): ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଏସବୁ ଦିଗହରା ହେଉଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଜନହିତକର ଯୋଜନାରୁ ହିତାଧିକାରୀଙ୍କ ବଞ୍ôଚତ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ତେବେ ପ୍ରଶାସନିକ ଅବହେଳା କାରଣରୁ ସମସ୍ତ ସରକାରୀ ଯୋଜନା ହିତାଧିକାରୀଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ । ଗୋଟିଏ ପଟେ ରାଜ୍ୟସରକାର ଘର ଦ୍ୱାର ନଥିବା, ଭିକ୍ଷୁକମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟକରି ଏକ ଆଶ୍ରୟସ୍ଥଳ ବ୍ୟବସ୍ଥା କରିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ହିତାଧିକାରୀ ଏହାର ସୁଫଳ ପାଉନଥିବା ଦେଖିବାକୁ ମିଳିଛି । ରାଜ୍ୟରେ ସମସ୍ତ ଭିନ୍ନକ୍ଷମମାନଙ୍କୁ ସରକାର ସାମାଜିକ ସୁରକ୍ଷା ନିମନ୍ତେ ଭତ୍ତା ସହିତ ଅନ୍ୟାନ୍ୟ ସୁବିଧା କରାଇଛନ୍ତି । ମାତ୍ର କଟକ ମହାନଗର ନିଗମ ଅନ୍ତର୍ଗତ ୪୯ ନମ୍ବର ୱାର୍ଡ଼ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଏହି ୱାର୍ଡ ସ୍ଥିତ ଗୋଲେଇଛକ ଫ୍ଲାଏ ଓଭର ବ୍ରିଜ ତଳେ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱ ଦିନ ହେବ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଏକ ଭଙ୍ଗା ଦଦରା ୩ ଚକିଆ ସାଇକେଲରେ ଏହି ପୋଲ ତଳେ ତାଙ୍କ ଜୀବନ ବିତାଉଛନ୍ତି । ଯଦି କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ ଖାଇବାକୁ ଦେଲେ ତାହାକୁ ଖାଇଥାନ୍ତି; ନହେଲେ ଉପାସରେ ଦିନ କାଟିବାକୁ ପଡିଥାଏ । ତେବେ ସେ ଜନ୍ମରୁ ଭିନ୍ନକ୍ଷମ ନଥିଲେ । କିଛି ବର୍ଷ ତଳେ ଏକ ରେଲ ଦୁର୍ଘଟଣାରେ ତାଙ୍କର ବାମ ଗୋଡ ହରାଇଥିବା ସେ କହିଛନ୍ତି । ସେ ବାଙ୍ଗାଲୋରର ଏକ ଘରେଇ କାରଖାନାରେ କାମ କରି ଭଲରେ ଚଳୁଥିଲେ । ଯଶବନ୍ତ ପୁରରେ ଏକ ରେଳ ଦୁର୍ଘଟଣାରେ ତାଙ୍କ ବାମ ଗୋଡଟି ସମ୍ପୁର୍ଣ୍ଣ କଟିଯାଇଛି । ସେ କେମିତିବି ହଉ ଓଡିଶା ଚାଲିଆସିଥିଲେ; କିନ୍ତୁ ଏଠାରେ ତାଙ୍କୁ କୌଣସି ସରକାରୀ ସହାୟତା କିମ୍ବା ରହିବା ପାଇଁ ଘର ଖଣ୍ଡେ ବି ମିଳିନାହିଁ । ତାଙ୍କର ଭୋଟ ପରିଚୟ ପତ୍ର କି ଆଧାର କାର୍ଡ ନଥିବା ଯୋଗୁଁ କୌଣସି ସରକାରୀ ସୁବିଧା ତାଙ୍କୁ ମିଳୁନାହିଁ । ତାଙ୍କୁ କିଏମ ବିମଲ ତ ଆଉ କିଏ ବାବା ବୋଲି ଡାକିଥାନ୍ତି । ଦୀର୍ଘ ବର୍ଷ ଧରି ବିମଳ ସେଠାରେ ଅସହାୟ ଭାବେ ପଡ଼ି ରହିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ କି ସିଏମସି କର୍ତ୍ତୃପକ୍ଷ କାହାରି ନଜରକୁ ନଆସିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ଅଞ୍ଚଳଟି ୪୯ନମ୍ବର ୱାର୍ଡ଼ ବା ଡେପୁଟି ମେୟରଙ୍କ ନିଜ ୱାର୍ଡ଼ ହୋଇଥିବାବେଳେ ଏଥି ପ୍ରତି ସେ ଯତ୍ନବାନ ହେବେ ବୋଲି ଅଞ୍ଚଳବାସୀ ଆଶାବାଦୀ ହୋଇଛନ୍ତି । ତେବେ ଏ ନେଇ ଡେପୁଟି ମେୟର ତଥା ସ୍ଥାନୀୟ କର୍ପୋରେଟର ଦମୟନ୍ତୀ ମାଝିଙ୍କୁ ପଚାରିବାରେ । ସେ ଏବେ ନୂଆକରି କର୍ପୋରେଟର ଭାବେ ଜିତିଥିବାବେଳେ ଡେପୁଟି ମେୟର ହୋଇଛନ୍ତି । ତେବେ ତାଙ୍କ ଦୃଷ୍ଟିକୁ ଏଭଳି ଘଟଣା ଆସିନଥିଲା । ତେବେ ଖୁବ ଶିଘ୍ର ଉକ୍ତ ବ୍ୟକ୍ତିଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।