ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ଭୁବନେଶ୍ୱର(ଏନ୍.ଏମ୍.): ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ ହୋଇଥିବା ଜଣାପଡ଼ିଛି । କଟକର ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଓ ନୋଇଡ଼ାରେ ଥିବା ଏକ ମିଡିଆ ଗ୍ରୁପର ସମ୍ପତ୍ତି ମିଶି ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଏହି ସମ୍ପତ୍ତି ଆଟାଚ୍ କରାଯାଇଥିବା ଇଡି କହିଛି । ରିଜର୍ଭ ବ୍ୟାଙ୍କ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ବିନା ଅନୁମତିରେ ସଂସ୍ଥା ଖୋଲି ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏ ବାବଦରେ ପ୍ରଭାତ ବିଶ୍ୱାଳ କହିଛନ୍ତି ଯେ, ମୋର ଏତେ ଟଙ୍କାର ସମ୍ପତ୍ତି ନାହିଁ । ମୁଁ ଘର କରିବାକୁ ୧କୋଟି ୧୫ ଲକ୍ଷ ଟଙ୍କା ଋଣ ଆଣିଥିଲି । ଏହା ଏଯାଏ ଦିଆଯାଇନି । ଗୋଟିଏ ବ୍ୟାଙ୍କରେ ୨୫ ଲକ୍ଷ ଟଙ୍କା ଥିଲା । ଜାମିନ୍ ବେଳେ ୨୫ ଲକ୍ଷ ଡିପୋଜିଟ୍ କରିବାକୁ କୁହାଯାଇଥିଲା । ବୋଧହୁଏ ବ୍ୟାଙ୍କରେ ଥିବା ସେହି ୨୫ ଲକ୍ଷ ଟଙ୍କା ଇଡି ଆଟାଚ୍ କରିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏଥି ସହିତ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ ମଧ୍ୟ ଏହି ସମ୍ପତ୍ତି ସମ୍ପର୍କରେ ଅସ୍ୱୀକାର କରିଛନ୍ତି ।