ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ଗଢ଼ି ଉଠିବ ପଞ୍ଚ ତାରକା ହୋଟେଲ

ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ଗଢ଼ି ଉଠିବ ପଞ୍ଚ ତାରକା ହୋଟେଲ

ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ଗଢ଼ି ଉଠିବ ପଞ୍ଚ ତାରକା ହୋଟେଲ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର କୟଳପଡ଼ା ପଞ୍ଚାୟତ ନୂଆପାଟଣା ଠାରେ ପ୍ରସ୍ତାବିତ ପଞ୍ଚ ତାରକା ହୋଟେଲ ନିର୍ମାଣ ପାଇଁ ବାଟ ଫିଟିଛି । ଦୀର୍ଘ ଦିନ ଧରି ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ଜମିକୁ ନେଇ ବିବାଦର ଆପାତତଃ ସମାଧାନ ହୋଇଥିବା ଜଣାପଡ଼ିଛି । ପ୍ରକଳ୍ପ ନିମନ୍ତେ ସ୍ଥାନୀୟ ଜନସାଧାରଣ ଓ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ପ୍ରତିଶ୍ରୁତି ମୁତାବକ ସହଯୋଗ ନମିଳିଲେ ନିର୍ମାଣରୁ ଓହରିଯିବାକୁ ହୋଟେଲ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ମେ’ ୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଅଞ୍ଚଳର ବିକାଶ ପାଇଁ ହୋଟେଲ ପ୍ରତିଷ୍ଠା କରିବାକୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଲାଲଚାନ୍ଦ ରିସୋର୍ଟକୁ ମୋଟ ୧୩ ଏକର ଜମି ଦିଆଯାଇଥିଲା । ତେବେ ପ୍ରଥମେ ୧୧ଏକର ୨୫ ଡିସମିଲ ଜାଗା ଦିଆ ଯାଇ ମାପ ମଧ୍ୟ ହୋଇଥିଲା; କିନ୍ତୁ ପରେ ୧ଏକର ୮୦ଡିସମିଲ ଜମି ନେବା ପରେ ଯେତେବେଳେ ହୋଟେଲ କର୍ମଚାରୀମାନେ ଆସି ଜାଗା ମାପଚୁପ ଆରମ୍ଭ କଲେ ୧ଏକର ୮୦ଡିସମିଲ ଜାଗାର କିଛି ଅଂଶ ସ୍ଥାନୀୟ ବିଦ୍ୟାଳୟର କିଛି ଜମି ଆଡକୁ ମାଡ଼ିଯାଇଥିଲା । ତେଣୁ ଏହାକୁ ନେଇ ଗ୍ରାମବାସୀ ମାନେ ବିରୋଧ କଲେ । ଫଳରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା । ଶେଷରେ ଗତ ଗୁରୁବାର ଦିନ ଲାଲଚାନ୍ଦ ରିସୋର୍ଟର ନିର୍ଦ୍ଦେଶକ, ତହସିଲଦାର, ପୂର୍ବତନ ବିଧାୟକ ଓ ସ୍ଥାନୀୟ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ ହୋଟେଲର ପ୍ରବେଶ ପଥ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ଆପତ୍ତିକୁ ବିଚାର କରି ଜାଗା ଚିହ୍ନଟ କରି ହୋଟେଲ୍ ପାଇଁ ରାସ୍ତା ଦେବା ସହିତ ସମସ୍ୟାର ସମାଧାନ କରିବେ ବୋଲି ନିଷ୍ପତ୍ତି ନିଆଯିବାପରେ ହୋଟେଲ ନିର୍ମାଣ କାର୍ଯ୍ୟ ଆଗେଇବା ଆଶା କରାଯାଉଛି । ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବାରୁ ଏହାର ଅଗ୍ରଗତିରେ କୌଣସି ସଧା ସୃଷ୍ଟି କରାଯିବ ନାହିଁ ବୋଲି କହିଛନ୍ତି । ଜମି ଚିହ୍ନଟ ପରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଓ ଲାଲଚାନ୍ଦ ରିସୋର୍ଟ ନିର୍ଦ୍ଦେଶକ ଋଷିକେଶ ରଥ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ