ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର
କଟକ(ଏନ୍.ଏମ୍.): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଛି । ପରିସ୍ରା ବାହାନାରେ ସେ ଖସିଯିବାକୁ ଚେଷ୍ଟା କରିଥିବାବେଳେ ସାଥିରେ ଥିବା ଏସ୍କଟ ପୁଲିସ ଗୁଳି ମାରିବାକୁ ବାଧ୍ୟ ହୋଇଥିଲା । ହାଇଦର ଚୌଦ୍ୱାର ଜେଲରେ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ତାକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ପୁଲିସ କବ୍ଜାରୁ ଖସି ପଳାଉଥିବା ବେଳେ ହାଇଦର ଏନକାଉଣ୍ଟର ହୋଇଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି । ଏନକାଉଣ୍ଟର ବେଳେ ପୁଲିସର ଗୁଳି ହାଇଦରର ପେଟରେ ବାଜିଥିବ ଜଣାପଡ଼ିଛି । ଗୁଳିବିଦ୍ଧ ଅବସ୍ଥାରେ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ଚିକିତ୍ସା ଚାଲିଛି । ଡିସିପି ଶ୍ରୀ ସିଂହଙ୍କ କହିବା ଅନୁଯାୟୀ ହାଇଦର ବାରିପଦା ଯାଉଥିବାବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା କରିବାକୁ କହିଥିଲା । ଗାଡ଼ିରୁ ହାଇଦର ଓହ୍ଲାଇବା ପରେ ପରିସ୍ରା ବାହାନାରେ ସୁରକ୍ଷା କର୍ମୀଙ୍କ ସହିତ ଧସ୍ତାଧସ୍ତି କରିଥିଲା । ଏପରିକି ସୁରକ୍ଷା କର୍ମୀଙ୍କଠାରୁ ବନ୍ଧୁକ ଛଡ଼ାଇ ପଳାଇବାକୁ ଉଦ୍ୟମ କରିଥିଲା । ପରେ ଇନ୍ସପେକ୍ଟର ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ହାଇଦର ପେଟରେ ବାଜିଛି ଗୁଳି । ତାଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଏ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବାବେଳେ ସେ ପୁଲିସକୁ ଚକ୍ମା ଦେଇ ଖସିଯିବାକୁ ଉଦ୍ୟମ କରୁଥିଲା । ପୂର୍ବରୁ ହାଇଦର ଖସିଯିବା ନେଇ ରେକର୍ଡ଼ ରହିଥିବାବେଳେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇବା ଭଳି ଘଟଣା ଘଟାଇଥିଲା । ତେଣୁ ତାକୁ କାବୁ କରିବା ପାଇଁ ପୁଲିସ ବାଧ୍ୟ ହୋଇ ଗୁଳିଚଳାଇଛି । ତେବେ ଏହି ଘଟଣାର ମଧ୍ୟ ତଦନ୍ତ କରାଯିବ ବୋଲି ପୁଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ହାଇଦର କିଛି ଦିନ ତଳେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଚମ୍ପଟ ମାରିଥିଲା । ଗଲା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ବେହୁସ କରାଇ ଦେଇଥିଲେ । ବହୁ ଖୋଜାଖୋଜି ପରେ ହାଇଦରକୁ ରାଜ୍ୟ ବାହାରୁ ଅର୍ଥାତ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା । ପରେ ତାକୁ ଓଡ଼ିଶା ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇ ଚୌଦ୍ୱାର ଜେଲରେ ରହୁଥିଲା ।