ପୁଣି ତେଜିଲା ଚାଷୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ, ପେନସନ ଆନ୍ଦୋଳନ

ପୁଣି ତେଜିଲା ଚାଷୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ, ପେନସନ ଆନ୍ଦୋଳନ

ପୁଣି ତେଜିଲା ଚାଷୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ, ପେନସନ ଆନ୍ଦୋଳନ

Photo From Padmalochan Mishra

କଟକ(ଏନ୍‌.ଏମ୍‌.): ସରକାର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଗୋଟିଏ ପଟେ ସରକାର ଭାଷଣରେ ଓ କଥାରେ ଚାଷୀଙ୍କୁ ଗୁରୁତ୍ୱ ଦେବାକୁ କହୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଚାଷୀମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରି ସରକାର ସରକାରୀ କର୍ମଚାରୀ ଓ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ରିହାତି ଅଜାଡି ଦେଉଛନ୍ତି । କର୍ମଚାରୀ ବଜେଟର ଅଧା ଦରମା ପେନ୍‌ସନ ଆକାରରେ ବୋହିନେଉଥିଲା ବେଳେ-ଶିଳ୍ପପତି ମାନେ ସେମାନଙ୍କର ପାଣି ବକେୟା, ବିଦ୍ୟୁତ ବକେୟା ଦେଉ ନାହାଁନ୍ତି । ସେହିଭଳି ଭାବେ ଲୋକଙ୍କ ପାଇଁ ବଜେଟର ୬୦ଭାଗ ଅର୍ଥ ବ୍ୟୟ ହେଉଥିଲା ବେଳେ ୬୦ଭାଗ ଚାଷୀ ଉପେକ୍ଷିତ ହୋଇ ଦୟନୀୟ ଜୀବନଯାପନ କରୁଛନ୍ତି । ପୁନଶ୍ଚ ଆଜିକାଲି ଦରବୃଦ୍ଧି ଯେଉଁଭଳି ବଢ଼ିବଢ଼ି ଚାଲିଛି ୪୦୦୦ ଟଙ୍କା କାଳିଆ ଯୋଜନା ଏକ ଯୋଜନା କି ବୋଲି ସଂଗଠନ ପକ୍ଷରୁ ପ୍ରଶ୍ନ ହୋଇଛି । ଚାଷୀମାନଙ୍କ ପାଇଁ ଲୋକଦେଖାଣିଆ ନଗଣ୍ୟ ଯୋଜନା କରାଯାଇ ଏହାକୁ ତୁହାକୁ ତୁହା ଗଣମାଧ୍ୟମରେ ପ୍ରଚାର କରି ଚାଷୀଙ୍କୁ ଭ୍ରମିତ କରାଯାଉଛି; ଯାହା ଚାଷୀଙ୍କ ପାଇଁ କଟା ଘା’ରେ ଚୁନ ଦେବା ସଦୃଶ ବୋଲି ସ୍ଥାନୀୟ ପ୍ରତାପନଗରୀସ୍ଥିତ ଧାକୁଲେଇ ପୀଠରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଚାଷୀ ସମ୍ମିଳନୀରେ ମତପ୍ରକାଶ ପାଇଛି ।
ସଂଗଠନର ଜିଲ୍ଲା ସହ ସଂଯୋଜକ ବିଚିତ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସରକାର ଚାଷୀମାନଙ୍କୁ ଯେଉଁ ଲଲିପପ୍ ଭଣ୍ଡାଉଛନ୍ତି ତାହା ବିରୁଦ୍ଧରେ ଏବଂ ଚାଷୀ ପେନସନ ସପକ୍ଷରେ ବଡ଼ ଧରଣର ଲଢେଇ ଆରମ୍ଭ ହେବ । ଯେଉଁଥରେ ପୁରା ସରକାର ପ୍ରଭାବିତ ହେବ । ଚାଷୀର ଇନପୁଟ ଖର୍ଚ୍ଚ ବଢିଲା ବେଳେ ତାର ଉତ୍ପାଦର ଦରବୃଦ୍ଧି କାହିଁ ହେଉନି ସରକାରଙ୍କୁ ଜବାବ ଦେବାକୁ ପଡିବ ବୋଲି ଆଜି ଆୟୋଜିତ ସମାବେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ସରକାରଙ୍କୁ ସମାଲୋଚନା କରି କହିଲେ ଯେ, ବିଲାତି କିଲୋ ୮୦ରୁ ସରକାରଙ୍କର ଉନ୍ନୟନ ଯୋଜନା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଲୋକଙ୍କ ରକ୍ତକୁ ପାଣି ଫଟାଇ ରୋଜଗାର ଅର୍ଥରେ ଦରମା ନେଉଥିବା ନେତା ଅମଲାତନ୍ତ୍ର ଲୋକଙ୍କ ବିକାଶ ପାଇଁ କୌଣସି ସ୍ଥାୟୀ ଯୋଜନା କରୁ ନାହାଁନ୍ତି କିମ୍ବା ତା’ର ତଦାରଖ କରୁନାହାଁନ୍ତି । ଆଳୁ, ମାଛ, ଅଣ୍ଡା ପିଆଜ, ଖାଇବା ତେଲରେ ରାଜ୍ୟ କିଭଳି ଆତ୍ମନିର୍ଭରଶୀଳ ହେବ ସେଥିପାଇଁ କୌଣସି ଠୋସ ଯୋଜନା ହୋଇ ପାରିଲା ନାହିଁ । ଜଳସେଚନ ବିଭାଗର ଅଧିକାଂଶ ଅର୍ଥ ରାସ୍ତାଘାଟରେ ବିନିଯୋଗ ହେଉଥିବା ବେଳେ ମରୁଡିରେ ଚାଷୀ ଆତ୍ମହତ୍ୟା କରିବା ଲଜ୍ଜା ଜନକ ବୋଲି କହିଥିଲେ । ସେହିଭଳି ସହ ସଂଯୋଜକ ଉମାକାନ୍ତ ଭାରତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସଂଗଠନ ହେଉଛି ସବୁ ସମସ୍ୟାର ଉତ୍ତର । ଚାଷୀମାନେ ସଂଗଠିତ ହୋଇ ସେମାନଙ୍କ ପ୍ରତି ହେଉଥିବା ଶୋଷଣ ଅତ୍ୟାଚାର ବିରୁଦ୍ଧରେ ଏକତ୍ରିତ ହେଲେ ଚାଷୀ କୂଳର ମୁକ୍ତି ସମ୍ଭବ । ଅନ୍ୟମାନଙ୍କ ମଧ୍ୟରେ ସହ ସଂଯୋଜକ ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ଧାନକିଣା ଠାରୁ ଆରମ୍ଭ କରି ବାତ୍ୟା କ୍ଷୟକ୍ଷତି ପୂରଣ ସବୁଥରେ ସରକାରୀ କଳର ଅବହେଳା ଓ ଉପେକ୍ଷା ଚାଷୀଙ୍କୁ ପଛକୁ ଠେଲୁଛି । ଏତେବଡ଼ ବୃହତ୍ତର ଉତ୍ପାଦକ କୃଷକ ଶ୍ରେଣୀକୁ ଅବହେଳା ସବୁ ଠାରୁ ଜାତୀୟ ପାପ ବୋଲି କହିଥିଲେ । ଏହି ସାଂଗଠନିକ ସମ୍ମିଳନୀରେ ସହ ସଂଯୋଜକ ବିଚିତ୍ର ପଣ୍ଡାଙ୍କୁ ନୂତନ ଜିଲ୍ଲା ସଂଯୋଜକ ଭାବରେ ଘୋଷଣା କରାଗଲା । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟି ସଦସ୍ୟ ଡକ୍ଟର କୁଳମଣି, ଉପଦେଷ୍ଟା ଶୈଳଜ ରବି, ଜିଲ୍ଲା ଉପଦେଷ୍ଟା କାଶିନାଥ ମଲ୍ଲିକ, ବସନ୍ତ ବିଶ୍ୱାଳ, କୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ