ପାଚିଲା ଧାନ ଜଗିବାକୁ ଯାଇ ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁ: ଅଞ୍ଚଳରେ ଉତ୍ତେଜନା
#ଖୋର୍ଦ୍ଧା (ଏନ୍.ଏମ୍.): ବର୍ଷଯାକର ପରିଶ୍ରମ ଫସଲକୁ ଜଗିବାକୁ ଯାଇ ପ୍ରାଣ ହରାଇଛନ୍ତି ଦୁଇ କୃଷକ । ଏଭଳି ଦୁଃଖ ପୂର୍ଣ୍ଣ ଖବର ଆସିଛି ଖୋର୍ଦ୍ଧା ଜିଲ୍ଲାରୁ । ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷା ଦେବା ପାଇଁ ଦୁଇ ଚାଷୀ ଯାଇଥିଲେ ଜମିକୁ । ହେଲେ ହାତୀ ପାଦତଳେ ଚାଲିଯାଇଛି ଉଭୟଙ୍କ ଜୀବନ । ଦୁଇ ମୃତ ଚାଷୀ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା (୭୦) ଓ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ(୬୫) ବୋଲି ଜଣାପଡ଼ିଛି । ଗତକାଲି ରାତିରେ ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମ ନିକଟରେ ୩ଟି ଜଙ୍ଗଲୀ ହାତୀ ଆତଙ୍କ ଭିଆଇଥିଲେ । ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା । ଲୋକେ ଧାନ ଜମିକୁ ସୁରକ୍ଷା ଦେବା ପାଇଁ ଏକାଠି ହେଉଥିବାବେଳେ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା ଓ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ ସାଙ୍ଗ ହୋଇ ଚାଷ ଜମିକୁ ଯାଇଥିଲେ ।
ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ । ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଜି ସକାଳୁ ସେମାନଙ୍କ ମୃତଦେହ ଚାଷ ଜମିରେ ଲୋକେ ଠାବ କରିଛନ୍ତି । ମୃତଦେହ ଚାଷ ଜମିରେ ଏବେ ବି ପଡ଼ି ରହିଛି । ଲୋକେ ବନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି । ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ପୁଲିସ ସହ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।