ପାଗଳର ଭୁଜାଲି ଚୋଟରେ ଜଣେ ମୃତ, ୩ ଗୁରୁତର

ମାହାଙ୍ଗା(ଏନ୍.ଏମ୍.): ଜଣେ ପାଗଳ ବ୍ୟକ୍ତିର ପାଗଳାମୀ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ । ପାଗଳ ଭୁଜାଲି ଧରି ବୁଲୁଥିବାବେଳେ ଆକ୍ରମଣ ଫଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଘଟିବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ମାହାଙ୍ଗା ବ୍ଲକ ପୋଡାମରାଇ ପଞ୍ଚାୟତ ଏରକଣା ଗ୍ରାମରେ ଜଣେ ପାଗଳର ଭୁଜାଲି ଚୋଟରେ ଜଣେ ୧୭ବର୍ଷୀୟ ନାବାଳକ ମୃତ୍ୟୁବରଣ କରିଛି । ତଥାପି ପାଗଳର ପାଗଳାମୀ ଶେଷ ହୋଇନଥିଲା । ଜଣକ ପରେ ଜଣକୁ ଆକ୍ରମଣ କରିଥିଲା । ଫଳରେ ଅନ୍ୟ ୩ଜଣ ଗୁରୁତ୍ତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଖବର ପାଇ ମାହାଙ୍ଗା ଥାନା ପୁଲିସ ପାଗଳ ବୋଲାଉଥିବା ହତ୍ୟାକାରୀକୁ ଗିରଫ କରିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସିନ୍ଧୂପୂର୍ ସନ୍ତୋଷ ସେଠୀ (୨୭) ସାମାନ୍ୟ ମାନସିକ ବିକୃତ ଅଛି । ହେଲେ ସେ ଭୁଜାଲି ଧରି ଅଞ୍ଚଳରେ ରୋବାବ ଜମାଇବା ସହ ୪ ଜଣଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଘଟଣାରେ ସ୍ଥାନୀୟ ଗ୍ରାମର ଅକ୍ଷୟ ପଳେଇଙ୍କ ୧୭ବର୍ଷର ପୁତ୍ର ସୋମ୍ୟରଞ୍ଜନ ପଳେଇ ମୃତ୍ୟୁବରଣ କରିଥିବା ବେଳେ ସନ୍ତୋଷ ଅନ୍ୟ ଲୋକଙ୍କୁ ପୁନର୍ବାର ଆକ୍ରମଣ କରିଥିଲା । ଯାହାଫଳରେ ଏରକଣା ଗ୍ରାମର କୈବଲ୍ୟ ପଳେଇଙ୍କ ବେକ କଟି ଯାଇଥିବାବେଳେ ଜ୍ଞାନରଞ୍ଜନ ପଳେଇଙ୍କ ମୁଣ୍ଡ ଫାଟି ଯାଇଛି । ପୁନଶ୍ଚ ଚିନ୍ମୟ ମଲିକଙ୍କ ନାକ କଟି ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ହେଉଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଯିଏ ପାଗଳ ହୋଇ ଯାଇଛି ତାକୁ ତାଙ୍କ ପରିବାର ଲୋକେ କାହିଁକି ନିଜ ଅଧିନରେ ରଖୁ ନାହାନ୍ତି । ପୁଣି ସେ ଭୁଜାଲି କେଉଁଠୁ ପାଇଲେ । ତାଙ୍କ ପାଗଳାମୀ ଯୋଗୁଁ ଜଣେ ନାବାଳକର ଜୀବନ ଗଲା । ତେଣୁ ଏଥିପାଇଁ କିଏ ଦାୟୀ ରହିବ । ତେଣୁ ଅପରାଧୀକୁ ଉପଯୁକ୍ତ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।