ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ
#କଟକ/ଭୁବନେଶ୍ୱର(ଏନ୍.ଏମ୍.): ଆଜି ପୂର୍ବାହ୍ନରେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ବିୟୋଗ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ତ୍ରିଲୋଚନ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସକାଳ ପ୍ରାୟ ୭ଟାରେ ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କର ବିୟୋଗରେ ଓଡ଼ିଶା ଜଣେ ପ୍ରବୀଣ ରାଜନୈତିଜ୍ଞ ତଥା ଅର୍ଥନୀତିଜ୍ଞଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ତ୍ରିଲୋଚନ କାନୁନଗୋ କଟକ ପୌରପାଳିକାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ସେ ଅଧ୍ୟକ୍ଷ ଭାବେ ଭୂମିକା ନିର୍ବାହ କରୁଥିଲେ । ଏହାସହ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଜଗତସିଂହପୁର ଲୋକସଭା ଆସନରୁ ସେ ୧୯୯୯ ମସିହାରେ ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ସେ ୩ ଥର ବିଧାୟକ ଓ ଥରେ ସାଂସଦ ନିର୍ବାଚିତ ହୋଇଥିଲେ । ତ୍ରିଲୋଚନ କାନୁନଗୋ ୧୯୪୦ ମସିହା ନଭେମ୍ବର ୨୪ ତାରିଖରେ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ କଟକର ଶେଖ୍ ବଜାରରେ ଗତ କିଛି ବର୍ଷ ହେବ ରହି ଆସୁଥିଲେ । ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ବିଭିନ୍ନ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ପରଲୋକଗତ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଇଂ. ମହମ୍ମଦ ମୋକିମ, ନିରାମୟ ଅଧ୍ୟକ୍ଷ ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, କଟକ ମହାନଗର ନାଗରିକ ମହାସଭାର ଡାକ୍ତର ରବିରଞ୍ଜନ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।