ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ
ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ସୁନୀତା ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ବିଶ୍ୱାଳ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ଥିଲେ । ରାଜ୍ୟର ଏକମାତ୍ର ଆଦିବାସୀ ନେତା ଯିଏ ୨ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୯ ମସିହା ଡିସେମ୍ବର ୭ତାରିଖରୁ ୧୯୯୦ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ପ୍ରାୟ ୩ ମାସ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯୯୯ ଡିସେମ୍ବର ୬ତାରିଖରୁ ୨୦୦୦ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ପ୍ରାୟ ୮ ମାସ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ତେବେ ୭୦ଦଶକରେ ପଞ୍ଚାୟତ ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ବିଶ୍ୱାଳ ୧୯୭୪ ମସିହାରେ ପ୍ରଥମଥର ବିଧାୟକ ହୋଇଥିଲେ । ସେ ୨୦୦୯ ମସିହାରେ ସୁନ୍ଦରଗଡ଼ରୁ ସାଂସଦ ଭାବେ ମଧ୍ୟ ବିଜୟୀ ହୋଇଥିଲେ । ସେ ଜଣେ ବରିଷ୍ଠ ଆଦିବାସୀ ନେତା ଭାବେ କଂଗ୍ରେସରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି । ୧୯୩୯ ଡିସେମ୍ବର ୧ତାରିଖରେ ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ବିଶ୍ୱାଳଙ୍କ ମୃତ୍ୟୁରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।