ପଦାରେ ପଡ଼ିଲା ଧବଳେଶ୍ୱର ଝୁଲାପୋଲ ପ୍ରତି ଅବହେଳା: ଶ୍ରଦ୍ଧାଳୁଙ୍କ ଉପରେ କଟକଣା ନେଇ ତେଜିଲା ଅସନ୍ତୋଷ

ପଦାରେ ପଡ଼ିଲା ଧବଳେଶ୍ୱର ଝୁଲାପୋଲ ପ୍ରତି ଅବହେଳା: ଶ୍ରଦ୍ଧାଳୁଙ୍କ ଉପରେ କଟକଣା ନେଇ ତେଜିଲା ଅସନ୍ତୋଷ

ପଦାରେ ପଡ଼ିଲା ଧବଳେଶ୍ୱର ଝୁଲାପୋଲ ପ୍ରତି ଅବହେଳା: ଶ୍ରଦ୍ଧାଳୁଙ୍କ ଉପରେ କଟକଣା ନେଇ ତେଜିଲା ଅସନ୍ତୋଷ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ପବିତ୍ର ପଞ୍ଚକ ଯାତ୍ରା ପୂର୍ବରୁ ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ପୀଠ ଏକମାତ୍ର ଯାତାୟାତ ରାସ୍ତା ଝୁଲା ପୋଲକୁ ବନ୍ଦ କରିବାକୁ ପ୍ରଶାସନର ନିଷ୍ପତ୍ତି ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ବର୍ଷ ବର୍ଷ ଧରି ଏହି ଝୁଲାପୋଲ ଦୁର୍ବଳ ହେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରିଥିଲେ । ମାତ୍ର ଗୁଜୁରାଟ ଟ୍ରାଜେଡ଼ି ପରେ ପ୍ରଶାସନର ନିଦ ଭାଙ୍ଗିବା ଏବଂ ହଠାତ ପୋଲକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖିବା ଘଟଣାକୁ ସହଜରେ ହଜମ କରି ପାରୁନାହାନ୍ତି ଶ୍ରଦ୍ଧାଳୁ । ଗତ ୨୦୦୬ ମସିହାରୁ ଭକ୍ତ ମାନଙ୍କ ଯାତାୟାତ ପାଇଁ ଏସିଆ ମହାଦେଶର ଏହି ଦୀର୍ଘତମ ଝୁଲା ସେତୁ ନିର୍ମାଣ କରାଯାଇଥିଲା । ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ରୋଷର ଶିକାର ହୋଇ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ସ୍ୱର୍ଗତ ବିଚିତ୍ରାନନ୍ଦ ମୁଦୁଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଥିଲା । ତେବେ ସେତେବେଳେ ଏହା ୧୫୦୦ ଲୋକଙ୍କ ଭାର ସମ୍ଭାଳିବା ଶକ୍ତି ଥିଲା । ଧୀରେ ଧୀରେ ପୋଲର ଦୁର୍ବଳତା ଯୋଗୁଁ ଏହାକୁ ୧୦୦୦କୁ ହ୍ରାସ କରାଗଲା । ଗତ ୧୬ ବର୍ଷ ମଧ୍ୟରେ ଏହି ଝୁଲା ପୋଲର ରକ୍ଷଣାବେକ୍ଷଣ ନେଇ ରାଜସ୍ୱ ବିଭାଗ, ଦେବୋତ୍ତର ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଥବା ସ୍ଥାନୀୟ ବିଧାୟକ କେହି ପଦକ୍ଷେପ ନେଲେ ନାହିଁ । ତେବେ ଏହି ପୀଠକୁ ବହୁ ସମୟରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବହୁ ମନ୍ତ୍ରୀ ବିଧାୟକ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମାନେ ଆସିଥାନ୍ତି । ପୋଲଟି ପ୍ରତିବର୍ଷ ପଞ୍ଚକ ଯାତ୍ରା ପୂର୍ବରୁ ମରାମତି କରାଯାଇଥାଏ । କିନ୍ତୁ ଏହି ପୋଲଟି ଏତେ ଦୁର୍ବଳ ହେବା ତଥା ଲୁହା ବିମ୍‌ରେ ଏତେ ବଡବଡ ଛିଦ୍ର ଯନ୍ତ୍ରୀମାନେ କିଭଳି ଦେଖି ପାରୁନଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରତି ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବିଲ କରାଯାଏ । ତେଣୁ ଏଥିରେ ମଧ୍ୟ ରାଜସ୍ୱ ବାଟମାରଣ ହେଉଥିବା ଏବେ ସ୍ପଷ୍ଟ ହୋଇଛି ବୋଲି ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି । ଇତି ମଧ୍ୟରେ ସରକାର ଯାତାୟାତ ପାଇଁ ଏକ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ କାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ କରିଛନ୍ତି । ଏଠିକାର ନାଉରିଆମାନେ ବାହାରୁ ଭଡ଼ାରେ ଡ଼ଙ୍ଗା ଆଣି ପଞ୍ଚକ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ପାରି କରିଥାନ୍ତି । କିନ୍ତୁ ସରକାର ଲାଇଫ ଜ୍ୟାକେଟ ପିନ୍ଧିବାକୁ କଡାକଡି ନିୟମ କରିବା ଓ ଅପର ପକ୍ଷରେ ମାହସୁଲ କମ ଧାର୍ଯ୍ୟ କରିବାରୁ ଏଠିକାର ନାଉରିଆମାନେ ଭଡ଼ାରେ ଡ଼ଙ୍ଗା ଆଣି ଚଳାଇବାକୁ ଆଗ୍ରହୀ ନୁହନ୍ତି । ଗୁଜୁରାଟର ମୋର୍ଡା ଠାରେ ଏକ ଝୁଲା ପୋଲ ଭୁଷୁଡି ଶହ ଶହ ଲୋକ ମୃତ୍ୟୁ ବରଣ କରିବା ଓ ନିଖୋଜ ହେବାରେ ପ୍ରଶାସନ ଧବଳେଶ୍ୱର ପୋଲର ଯାଞ୍ଚ କରିବା ସମୟରେ ଲୌହ ଖମ୍ବ ଓ କଡି ଗୁଡିକରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିଲା । ତେଣୁ ଅଘଟଣ ଆଶଙ୍କାରେ ପ୍ରଶାସନ ଏହି ପୋଲକୁ ପ୍ରବେଶ ଉପରେ ୧୪୪ ଧାରା ଅନିର୍ଦ୍ଧିଷ୍ଟ କାଳ ପାଇଁ ଗତ କାଲି ଠାରୁ ଜାରି କରିବାରୁ ଭକ୍ତମାନେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଗତ ଦୁଇ ବର୍ଷ ହେଲା କୋଭିଡ଼ କଟକଣା ପାଇଁ ବାବାଙ୍କ ଦର୍ଶନ ବନ୍ଦ ରହିଥିଲା । ଏଣୁ ଚଳିତ ବର୍ଷ ବାବାଙ୍କୁ ଦର୍ଶନ କରିବା ପବିତ୍ର କାର୍ତ୍ତିକ ସୋମବାର ଦିନ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥିଲା । ନିଜ ରୋଜଗାର ପାଇଁ ପୀଠ ଉପରେ ନିର୍ଭର କରୁଥିବା ସେବାୟତ, ଛୋଟ ବ୍ୟବସାୟୀମାନେ ଅନେକ ଆଶା ବାନ୍ଧି ବସିଥିଲେ । କାରଣ କରୋନା କଟକଣା ପାଇଁ ସେମାନେ ଗତ ଦୁଇବର୍ଷ ହେଲା ରୋଜଗାର ଶୂନ୍ୟ ହୋଇ ପଡ଼ିଥିଲେ । ଯାତ୍ରା ସମୟରେ ବ୍ୟବସାୟ କରିବାକୁ ସେମାନେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ କ୍ରୟ କରି ଗଚ୍ଛିତ ରଖିଛନ୍ତି । ଏବେ ସରକାରୀ କଟକଣା ଯୋଗୁଁ ପଞ୍ଚକ ଯାତ୍ରା ବନ୍ଦ ହେଲେ ବ୍ୟବସାୟୀମାନେ ବହୁତ କ୍ଷତି ସହିବେ । ତେଣୁ ସରକାର ପୀଠକୁ ଯାତାୟାତ ପାଇଁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଓ ଯୁଦ୍ଧକାଳୀନ ଭିତ୍ତିରେ ପୋଲର ମରାମତି ଶେଷ କରିବାକୁ ଶ୍ରଦ୍ଧାଳୁ, ସମାଜସେବୀ ଏବଂ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆଜି ଏହି ମର୍ମରେ ସମାଜସେବୀ ଅଭୟ ବାରିକଙ୍କ ନେତୃତ୍ୱରେ କିଛି ଶ୍ରଦ୍ଧାଳୁ ଓ ଗଣମାଧ୍ୟମ ପ୍ରତିନିଧି ଆଠଗଡ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ମର୍ମରେ ଦାବି ପତ୍ର ପ୍ରଦାନ କରିବା ସହ ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଯୁଦ୍ଧ କାଳୀନ ଭିତ୍ତିରେ ପୋଲର ମରାମତି କରି ପଞ୍ଚକ ଯାତ୍ରା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ଉଠାଇ ବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ