ନ୍ୟାୟ ନପାଇ କିଶୋରନଗର ଥାନା ସମୁଖରେ ଆତ୍ମାହୁତି ଉଦ୍ୟମ

କଟକ ସଦର(ଏନ୍.ଏମ୍.): ନ୍ୟାୟ ପାଇଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଧିକାରୀଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଆଜି ଜଣେ ଅଭିଯୋଗକାରୀ ଥାନା ପରିସରରେ ଆତ୍ମାହୁତି ଉଦ୍ୟମ କରିବା ଘଟଣା ଚର୍ଚ୍ଚାକୁ ଆସିଛି । ସମ୍ପୃକ୍ତ ବ୍ୟକ୍ତିଜଣକ ଏଭଳି କରିବା ଦ୍ୱାରା ରାଜ୍ୟରେ ସମଗ୍ର ପୁଲିସ ବିଭାଗର ଅବହେଳା ତଥା ପକ୍ଷପାତିତାକୁ ସ୍ପଷ୍ଟ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ କିଶନନଗର ଅଞ୍ଚଳରେ । ଦୀର୍ଘ ଦିନ ଧରି କିଶନନଗର ଥାନାରେ ଅରାଜକତା ଲାଗିରହିଥିବା ଏବଂ ଲୋକେ ନ୍ୟାୟ ନପାଇ ଓଲଟା ମାମଲାରେ ଛନ୍ଦି ହେବା ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ଯୋଗୁଁ ଆଜି ମଧ୍ୟାହ୍ନରେ ଜଣେ ଅଭିଯୋଗକାରୀ ଥାନା ପରିସରରେ ଆତ୍ମାହୁତି ଦେବା ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳକୁ ସ୍ତମ୍ଭିଭୂତ କରିଦେଇଛି । ପ୍ରକାଶ ଯେ, ଜନୈକ ବ୍ୟକ୍ତି ହଠାତ୍ ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିର ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀର ୮୦ ଭାଗ ପୋଡିଯାଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତର ଖାନା ପଠାଯାଇଛି । ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଜଣକ ଈଶାଣି ବରହମପୁର ଗ୍ରାମର ଗୁଣନିଧି ବିଷୋୟୀ (୪୮) ବୋଲି ସୂଚନା ମିଳିଛି । ତେବେ କୌଣସି ଘଟଣାକୁ ନେଇ ନ୍ୟାୟ ପାଇଁ ଥାନାର ଆଶ୍ରୟ ନେଇଥିବାବେଳେ ଥାନା ଅଧିକାରୀ ତାଙ୍କ ଅଭିଯୋଗକୁ ଅଣଦେଖା କରିଥିଲେ । ଫଳରେ ସେ ଥାନାକୁ ଦୌଡି ଦୌଡି ନିରାଶ ହେବା ପରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ଅନ୍ୟପକ୍ଷରେ ଥାନା ଅଧିକାରିଣୀଙ୍କ ମାତ୍ରାଧିକ କାର୍ୟ୍ୟକଳାପ ଓ ଆଶାଳୀନ ବ୍ୟବହାର ଜନସାଧାରଣଙ୍କୁ ଅତିଷ୍ଠ କରୁଥିବା ବେଳେ ତାଙ୍କୁ ଉକ୍ତ ଥାନାରୁ ଯାଜପୁର ଜିଲ୍ଲାକୁ ବଦଳୀ ହୋଇଥିବା ଜଣାପଡିଛି । ମାତ୍ର ସମ୍ପୃକ୍ତ ଅଧିକାରୀ ଜଣକ ସ୍ଥାନୀୟ ନେତାଙ୍କୁ ଧରି ଏଠାରେ ରହିବାକୁ ଚାପ ଓ ଉଦ୍ୟମ କରିବା ସହ କେବଳ ମୁଷ୍ଟିମେୟ ଲୋକଙ୍କ ନିର୍ଦ୍ଦେଶକ୍ରମେ ଥାନା ପରିଚାଳିତ ହେଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଲୋକେ ପୁଲିସ ଉପରୁ ଆଶା ଓ ଭରସା ତୁଟିଯିବ ବୋଲି ଆଲୋଚନା ହେଉଛି । ଏ ନେଇ ପୁଲିସ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି । ଏଥି ସହିତ ଆତ୍ମାହୁତି ଉଦ୍ୟମ କରିବା ଘଟଣାରେ ଥାନା ଅଧିକାରୀଙ୍କୁ ଦାୟୀ କରାଯାଇ ଅଧିକ ତଦନ୍ତ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।