ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା
କଟକ(ଏନ୍.ଏମ୍.): ଆସନ୍ତା ନୂଆବର୍ଷ ଉତ୍ସବ ପାଳନ ଉପରେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ନମ୍ବର ୭୪୫୮ତା ୨୪.୧୨.୨୧ରେ ଉଲ୍ଲେଖ ରହିଥିବାବେଳେ ଆଜି ସିଏମସି କମିଶନର ନିର୍ଦ୍ଦେଶନାମା ନମ୍ବର ୧୨୬୪୧ ତା ୩୦.୧୨.୨୧ରେ ସ୍ୱତନ୍ତ୍ର କଟକଣା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ନିର୍ଦ୍ଦେଶନାମା ଅନୁଯାୟୀ କଟକ ସହରରେ ଆସନ୍ତା କାଲି ଅର୍ଥାତ ଡିସେମ୍ବର ୩୧ ତାରିଖରୁ ୨୦୨୨ ମସିହା ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ନୂଆବର୍ଷ ପାଳନ ପରିପ୍ରେକ୍ଷୀରେ ଏହି କଟକଣା ଜାରି କରାଯାଇଛି । ତେବେ ଏହାର ଉଲଙ୍ଘନ କଲେ ଦଣ୍ଡବିଧାନ ବ୍ୟବସ୍ଥା ରହିଥିବା ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ତେବେ ୩୧ତାରିଖ ମଧ୍ୟରାତିରେ ଲୋକେ ଜିରୋ ନାଇଟ ସେଲିବ୍ରେସନ ପାଳନ କରୁଥିବାବେଳେ ନୂଆବର୍ଷ ଓ୨ତାରିଖ ରବିବାର ଥିବାରୁ ବହୁ ଜନସମାଗମର ସମ୍ଭାବନା ରହିଛି । ଏହାଦ୍ୱାରା କୋଭିଡ ସଂକ୍ରମଣର ଆଶଙ୍କା ରହିଥିବାରୁ ଏଭଳି କଟକଣା ଜାରି କରାଯାଇଥିବା କୁହାଯାଇଛି । ଏହି ପରିପ୍ରେକ୍ଷୀରେ କୌଣସି ଧର୍ମାନୁଷ୍ଠାନରେ ଜନସମାଗମ ନହେବା ପାଇଁ ଅଙ୍କୁଶ ରହିଛି । ବିଶେଷ କରି ମନ୍ଦିର, ମସଜିଦ, ଗୁରୁଦ୍ୱାର ଓ ଚର୍ଚ୍ଚମାନଙ୍କରେ ଏହି କଟକଣା ଲାଗାଯାଇଛି । ସେହିଭଳି କୌଣସି ଧର୍ମାନୁଷ୍ଠାନ, କ୍ଲବ, ପାର୍କ କିମ୍ବା କୌଣସି ଠାରେ ବହୁ ଜନସମାଗମ ନହେବା ନିମନ୍ତେ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ସେହିଭଳି ଏହିସବୁ ଧର୍ମାନୁଷ୍ଠାନକରେ ସୀମିତ ବ୍ୟକ୍ତିଙ୍କୁ ନେଇ ପୂଜାର୍ଚ୍ଚନା କରାଯାଇ ପାରିବ । ଏଥି ସହିତ ଧର୍ମାନୁଷ୍ଠାନ କମିଟି ପକ୍ଷରୁ ଥର୍ମାଲ ସ୍କ୍ରିନିଂ ଆଦି କରିବା, କୋଭିଡ଼ ନିୟମ ପାଳନ ପୂର୍ବକ ସାନିଟାଇଜର ବ୍ୟବହାର, ମାସ୍କ ପରିଧାନ କରି ପୂଜା ବିଧି କରିବା ପାଇଁ ଅନୁମତି ରହିବ । ଏଥି ସହିତ ସାମାଜିକ ଦୂରତା ପାଳନ କରିବା ଅନିବାର୍ଯ୍ୟ ରହିଛି । ଏଥି ସହିତ ପୂର୍ବରୁ ସିଏମସି ପକ୍ଷରୁ ଜାରିକରାଯାଇଥିବା ସମସ୍ତ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।