ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ
‘ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି’: ମନ୍ତ୍ରୀ ଅଶୋକ ପଣ୍ଡା

News by I&PR (ODISHA)

#ଭୁବନେଶ୍ୱର(ଏନ୍‌.ଏମ୍‌.): ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ବାୟୋଟେକ୍ନୋଲୋଜିର ପରିସର ବ୍ୟାପକ ଏବଂ ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୩’ କନ୍‌କ୍ଲେଭ୍‌ରେ ଓଡ଼ିଶା ପାଭିଲିଅନ୍ ଉଦ୍‌ଘାଟନ କରିବା ସହିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହା କହିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ପୁଣି କହିଛନ୍ତି ଯେ, ଆଧୁନିକ ଜୀବନଶୈଳୀ ଓ ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ ତଥା ଆଜିର ବିକଶିତ ଅର୍ଥନୀତି କ୍ଷେତ୍ରରେ ଜୈବ-ଅର୍ଥନୀତି ନୂଆ ବିଷୟ ଭାବରେ ଉଭା ହୋଇଥିବା ବେଳେ ବିଶ୍ୱ ଅର୍ଥନୀତି ପାଇଁ ବାୟୋଟେକ୍ନୋଲୋଜି ନୂତନ ଦିଗ ସୃଷ୍ଟି କରିଛି । ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ବିଶେଷ ସଫଳତା ହାସଲ କରିଛି । ରାଜ୍ୟରେ ଥିବା ବ୍ୟାପକ ଜୈବ ସମ୍ପଦ, ଜଳ ସମ୍ବଳ ଓ ସାମୁଦ୍ରିକ ସମ୍ପଦ ବାୟୋଟେକ୍ନୋଲୋଜି ପରିସରକୁ ସମୃଦ୍ଧ କରିଛି । ଏହା ସହିତ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ପାର୍କ ଆଦି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।
ବାୟୋଟେକ୍ନୋଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟଙ୍କ ନୀତି ଓ ନିବେଶ କାର୍ଯ୍ୟକ୍ରମ ବାବଦରେ ଅନୁଷ୍ଠିତ ବିଶେଷ ଅଧିବେଶନରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ଥିବା ବିଭିନ୍ନ ଟେକ୍ନୋଲୋଜି ଇନ୍‌କ୍ୟୁବେଟର ମାଧ୍ୟମରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଉତ୍ସାହିତ କରାଯାଉଛି । ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆ ଠାରେ ସ୍ୱତନ୍ତ୍ର ବାୟୋଟେକ୍ ପାର୍କ ନିର୍ମାଣ କରାଯାଇଛି ଓ ସେଠାରୁ ଆଗାମୀ ଦିନରେ ଭାରତ ବାୟୋଟେକ୍ କମ୍ପାନୀ ଟିକା ଉତ୍ପାଦନ କରିବ । ସରକାର ମଧ୍ୟ ଏକ ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି । ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ପ୍ରସିଦ୍ଧ ବ୍ୟକ୍ତିତ୍ୱ ତଥା ବାୟୋକନ୍ ଇଣ୍ଡିଆ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମ୍‌ଦାର ସ’ ଓଡ଼ିଶା ପାଭିଲିଅନ୍ ବୁଲି ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରଶଂସା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରଦର୍ଶନୀରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନସ (ଆଇଏଲ୍‌ଏସ୍‌) ଓ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (ବିସିକେଆଇସି) ସମେତ ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ ସାମିଲ ହୋଇଛନ୍ତି । ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର, ଉପ ନିର୍ଦ୍ଦେଶକ (ବାୟୋଟେକ୍ନୋଲୋଜି) ଡ. ଶଶିକାନ୍ତ ଦାଶ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ ଓ ବିସିକେଆଇସିର ଅଧ୍ୟକ୍ଷ ଡ. ମୃତ୍ୟୁଞ୍ଜୟ ସୁଆରଙ୍କ ସମେତ ରାଜ୍ୟର ବହୁ ଅନୁଷ୍ଠାନର ପ୍ରତିନିଧି ଓ ଗବେଷକ ଯୋଗ ଦେଇଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ