ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍ଘାଟିତ
ମିଲେଟ୍ ମିଶନ ସାଜିଲା ବିଶେଷ ଆକର୍ଷଣ
ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍.ଏମ୍.): ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଆବାସିକ କମିଶନର ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିଶନର ଦେବଜାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ଥିଲେ । ଚଳିତ ୪୧ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାର କଳାବାସ୍ତୁ ଓ କାରିଗରୀର ନିଖୁଣ ଅବତାରଣା କରାଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି । ଏଥିରେ ମିଲେଟ୍ ମିଶନ ପ୍ରମୁଖତା ସହିତ ପ୍ରଦର୍ଶିତ ହୋଇଛି । ସର୍ବମୋଟ ୨୪ଗୋଟି ଷ୍ଟଲରେ ମିଲେଟ୍ ମିଶନ ସମେତ ଓରମାସ, ମିଶନ ଶକ୍ତି, ବୟନିକା, ଉତ୍କଳିକା, କୋରାପୁଟ କଫି, ଟସର ଶିଳ୍ପ, ଜନଜାତି ଅଳଙ୍କାର, କଟକ ତାରକସି କାମ ଏବଂ ନୂତନ ପିଢିର ଉଦ୍ୟୋଗୀଙ୍କ ଦ୍ୱାରା ନିର୍ମିତ ଷ୍ଟାର୍ଟ ଅପ ପ୍ରଭୃତି ସ୍ଥାନୀତ ହୋଇଛି ।
ମେଳାର ଉଦଘାଟନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ, ‘ଓଡିଶା ବର୍ତ୍ତମାନ ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖତା ହାସଲ କରିଛି । ଆମେ କୋଭିଡର ଦ୍ୱିତୀୟ ଲହର ସମୟରେ ସମଗ୍ର ଦେଶରେ ଅମ୍ଳଜାନ ଯୋଗାଇ ଜନତାଙ୍କ ସହିତ ଦୃଢ ଭାବେ ଛିଡା ହୋଇଛୁ ଏବଂ ବର୍ତ୍ତମାନ ଆମେ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନେତୃତ୍ୱ ନେଉଛୁ’ । ମୁଖ୍ୟମନ୍ତ୍ରୀ ଏହି ଭିଡିଓ ବାର୍ତ୍ତା ଜରିଆରେ ପ୍ରବାସୀ ଓଡିଆମାନଙ୍କୁ ମେଳାର ସଫଳତା ପାଇଁ ଆହ୍ୱାନ ଜଣାଇଛନ୍ତି । ଅନୁରୂପ ଭାବେ ଉଦଘାଟନୀ ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ, ଓଡିଶା ଆଞ୍ଚଳିକସ୍ତରରେ ହେଉଥିବା ପ୍ରତ୍ୟେକଟି ସୂକ୍ଷ୍ମ ଓ କାରିଗରୀପୂର୍ଣ୍ଣ ମୂଲ୍ୟବାନ ସାମଗ୍ରୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏହା ମେଳା ହେଉଛି ଏକ ପ୍ରକୃଷ୍ଟ ମଞ୍ଚ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ତୃଣମୂଳସ୍ତରରୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନାଗୁଡିକର ସଫଳତା ଏହି ମେଳାରେ ପ୍ରତିଫଳିତ ହୋଇଛି । ପୁଷ୍ଟିସାଧନ ଓ କର୍ମନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଥିବା ଓଡିଶା ମିଲେଟ୍ ମିଶନ, ପୁରୁଷ ହକି ବିଶ୍ୱକପ୍ ଆୟୋଜନର ଏଠାରେ ସ୍ୱତନ୍ତ୍ର ପ୍ରଚାର କରାଯାଇଛି । ଏଥି ସହିତ ଆଗାମୀ ୩ୟ ମେକ ଇନ୍ ଓଡିଶା କନକ୍ଲେଭକୁ ଏଠାରେ ବିଜ୍ଞାପିତ କରାଯାଇଛି । ଏହି ମେଳା ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଗ୍ରାହକମାନେ ଓଡିଶାର ଉପିାଦ ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶା ପ୍ରକଟ କରିଥିଲେ । ନଭେମ୍ବର୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ବାଣିଜ୍ୟ ମେଳାରେ ନଭେମ୍ବର ୨୪ତାରିଖ ଦିନ ସ୍ୱତନ୍ତ୍ର ଭାବେ ଓଡିଶା ରାଜ୍ୟ ଦିବସ ପାଳନ କରାଯିବ । ଅପରାହ୍ନ ଘ୨.୩୦ମି ରୁ ଘ୪.୦୦ମି ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶାରୁ ନିମନ୍ତ୍ରିତ ହୋଇଥିବା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନଗୁଡିକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବା ସ୍ଥିରୀକୃତ ହୋଇଛି । ସମ୍ପୂର୍ଣ୍ଣ ଟେରାକୋଟା ଢାଞ୍ଚାରେ ନିର୍ମିତ ଏହି ମଣ୍ଡପ ଅଧିକ ଆକର୍ଷଣୀୟ ହେବା ସହ ଲୋକଙ୍କର ବେଶ୍ ପସନ୍ଦ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ମଣ୍ଡପ ଢାଞ୍ଚାର ପରିକଳ୍ପନା ଭର୍ଚୁ କମ୍ୟୁନିକେଶନ, ଭୁବନେଶ୍ୱର କରିଥିବାବେଳେ ଏହାର କଟକର ନିର୍ମାଣ ଭାରତୀ ଚିତ୍ରାଳୟ ଦ୍ୱାରା ସମ୍ପାଦିତ ହୋଇଛି ।