ନିଶ୍ଚିନ୍ତକୋଇଲି ବ୍ଲକରେ ପାଚିକାମାନଙ୍କର ବିକ୍ଷୋଭ
#ନିଶ୍ଚନ୍ତକୋଇଲି(ଏନ୍.ଏମ୍.): ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ନିଶ୍ଚିନ୍ତ କୋଇଲି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରି ବାଦ ପଡିଥିବା ଓ ୨୮ମାସର ବର୍ଦ୍ଧିତ ବକେୟା ପାରିଶ୍ରମିକ ପାଇନଥିବା ସମସ୍ତ ପାଚିକା ସହାୟିକାଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ମୃତକଙ୍କ ଉତ୍ତାରାଧିକାରୀଙ୍କୁ ଓ ଅବସରପ୍ରାପ୍ତ ପାଚିକାଙ୍କୁ, ବିଦ୍ୟାଳୟରୁ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ୨୮ମାସର ବର୍ଦ୍ଧିତ ବକେୟା ପାରିଶ୍ରମିକ ପାଇନଥିବା ଅବିଳମ୍ବେ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ଏଥିସହିତ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୯ ଡିସେମ୍ବର ଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୪୦% ଭାଗ ବକେୟା ପାରିଶ୍ରମିକ ପ୍ରଦାନ କରିବା, ପିଲାସଂଖ୍ୟା ଅନୁସାରେ ଆବଶ୍ୟକଥିବା ସ୍କୁଲରେ ପାଚିକା-ସହାୟିକାମାନଙ୍କ ଅବିଳମ୍ବେ ନିଯୁକ୍ତି କରିବା, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ମାସିକ ୨୬ହଜାର ଟଙ୍କା ପ୍ରଦାନ କରିବା, ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁ୍କ୍ତି ଦେବା, ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଦେବା, ପାଚିକାମାନଙ୍କୁ ୧୦ମାସର ପରିବର୍ତ୍ତେ ୧୨ମାସର ପାରିଶ୍ରମିକ ପ୍ରଦାନ କରିବା, ୨୦୨୨ ମଇ, ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରିବା, ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ କରିବା, ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପ୍ରାରିଶ୍ରମିକ ପ୍ରଦାନ କରିବା, ମଧ୍ୟାନ୍ନ ଭୋଜନ କାମ ବ୍ୟତିତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା, ପାଚିକାମାନଙ୍କର ଗତ ୪ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା, ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରିବା, ଶ୍ରମିକ, କର୍ମଚାରୀ ବିରୋଧି ଶ୍ରମ କୋଡକୁ ବାତିଲ କରିବା, ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା କରିବା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରିବା, ନୂତନ ଶିକ୍ଷାନୀତି ୨୦୨୦କୁ ବାତିଲ କରିବା, ଆଦି ୧୭ ଦଫା ଦାବିରେ କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନିଶ୍ଚିନ୍ତିକୋଇଲି ବ୍ଲକ୍ ବିଇଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସଂଗଠନର ସଭାପତି ଶ୍ରମିକନେତା ରାଜକିଶୋର ମଲ୍ଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭରେ ପରମାନନ୍ଦ ସେଠୀ, ଅଜୟ ମଲ୍ଲିକ, ସସ୍ମିତା ସାହୁ, ପ୍ରଭାତି ସ୍ୱାଇଁ, ରଂଜିତା ନାୟକ, ସୌଦାମିନୀ ଲେଙ୍କା, ମିନାକ୍ଷୀ ବେଜ୍ ପ୍ରମୁଖ ନେତୃତ୍ୱ ନେଇଥିଲେ ।