ନିଖୋଜ ତଅପୋଇର ଗଳିତ ଶବ ବୁଢ଼ାରଣା ପାହାଡ଼ରୁ ପୁଲିସ ଦ୍ୱାରା ଉଦ୍ଧାର: ପୁଲିସର ତନାଘନା ଆରମ୍ଭ
ରାଇରଙ୍ଗପୁର(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ରୁମାପାହାଡି ଗ୍ରାମର ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟୁକୁ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ରୁମାପାହାଡି ଗ୍ରାମର ବିଧବା ମହିଳା ତଅପୋଇ ମହାନ୍ତ(୪୭) ଗତ ୧୦ ତାରିଖ ଶୁକ୍ରବାର ଦିନ ରାଇରଙ୍ଗପୁର ସାପ୍ତାହିକ ହାଟରୁ ପରିବା ପତ୍ର କିଣିବା ପାଇଁ ଆସି ଆଉ ଘରକୁ ଫେରି ନଥିଲେ । ସଂନ୍ଧ୍ୟା ୬ ଟା ପାଖାପାଖି ସମୟରେ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ସେ ରାଇରଙ୍ଗପୁର କଲେଜ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ । ପରେ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଥିଲା । ଘରକୁ ନଫେରିବାରୁ ପରିବାର ଲୋକେ ପରଦିନ ଜାମଦା ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । ତେବେ ୨୨ତାରିଖ ଗୁରୁବାର ସକାଳେ ହେଁସଡା ପଞ୍ଚାୟତର ମାଟିଆଳି ଗ୍ରାମର କିଛି ଲୋକ ଶୌଚ ହେବାକୁ ନିକଟସ୍ଥ ବୁଢ଼ାରଣା ପାହାଡ଼ ପାଦ ଦେଶରେ ଯାଇଥିବାବେଳେ ସେଠାରେ ଦୁର୍ଗନ୍ଧ ବାରିଥିଲେ । ଦୁର୍ଗନ୍ଧ କେଉଁଠାରୁ ଆସୁଛି ଖୋଜିବା ପରେ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବରପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଜାମଦା ଥାନା ଓଆଇସି ମିନତୀ ନାଏକ, ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ମହିଳାଙ୍କ ରକ୍ତ ଜୁଡୁବୁଡୁ ଶାଢ଼ୀ, ଶାୟା,ବ୍ଳାଉଜ, ଚୁଡ଼ି, ଚପଲ, ଓଢ଼ଣୀ ବିଭିନ୍ନ ସ୍ଥାନରେ ଏଠି ସେଠି ପଡ଼ିଥିବା ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କୁ ରାସ୍ତାରୁ ଘୋଷାରି ଘୋଷାରି ନେଇ ଜଙ୍ଗଲ ଭିତରେ ବିବସ୍ତ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ଏପରିକି ତଅପୋଇଙ୍କ ମଥାକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାଶ୍ୱିର୍କ ଅବସ୍ଥାରୁ ପୁଲିସ ଜାଣିବାକୁ ପାଇଛି । ତେବେ ସେଠାରେ ଜଣେ ପୁରୁଷ ଲୋକଙ୍କ ଚପଲ ଓ ଗାମୁଛା ପଡ଼ିଥିବାରୁ ତାହା ହତ୍ୟାକାରୀର ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତା ତଅପୋଇଙ୍କୁ ଚିହ୍ନଟ କରିଥିଲେ । ପୁଲିସ ପରିବାର ପକ୍ଷରୁ ଏତଲା ଗ୍ରହଣ କରି ହତ୍ୟା ମାମଲା କେଶ ନମ୍ବର ୯୪/୨୩ ରୁଜୁ କରି ତଦନ୍ତ ଚଳାଇଛି । ମୃତା ତଅପୋଇ ସ୍ଥାନୀୟ ରାଜ୍ୟ ବିଜୁ ଛାତ୍ର ଜନତା ସାଧାରଣ ସମ୍ପାଦକ ବିକାଶ ମହାନ୍ତଙ୍କ ବଡ ଭଉଣୀ । ସେ ତାଙ୍କ ଭଉଣୀର ହତ୍ୟାକାରୀକୁ ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି । ଏହି ଘଟଣାରେ ପୁଲିସ ଜାମଦା ଥାନା ଅନ୍ତର୍ଗତ କୁଦାହାଁସା ଗ୍ରାମର ଦୁଇ ବାପ ପୁଅକୁ ସନ୍ଦେହରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।