ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ

ସାଲେପୁର(ଏନ୍.ଏମ୍.): ସାଲେପୁର ମାଟିରେ ଫଳୁଛି ପେନ୍ଥା ପେନ୍ଥା ଅଙ୍ଗୁର । ଆଉ ଏହି ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଅଛନ୍ତି ଜଣେ ଅଟୋ ଡ୍ରାଇଭର । ପେଶା ତାଙ୍କର ଅଟୋ ଚଳାଇବା ହେଲେ; ନିଶା ହେଉଛି ବାଡ଼ି ବଗିଚାରେ ବିଭିନ୍ନ ରକମର ଫୁଲ ଫଳ ଗଛ ଲଗାଇବା । ସେହି ନିଷ୍ଠାପର ପରିଶ୍ରମ ଆଉ ନିଶା ଏବେ ତାଙ୍କୁ ଦେଇଛି ଏଭଳି ସଫଳତା । ତାଙ୍କ ଗଛରେ ହେଇଥିବା ପେନ୍ଥା ପେନ୍ଥା ଅଙ୍ଗୁର ଦେଖିବା ପାଇଁ ଏବେ ଆଖପାଖ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ନିକଟ ବହୁଗ୍ରାମ ଗାଁର ଅଭୟ କୁମାର ମୁଦୁଲି ଜଣେ ଗରିବ ପରିବାରର ବ୍ୟକ୍ତି । ସେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି । ହେଲେ ତାଙ୍କର ବାଡ଼ି ବଗିଚା ପ୍ରତି ଅହେତୁକ ଦୁର୍ବଳତା ରହିଛି । ଜାଗବାଡି ଅଭାବ ଥିବାରୁ ଘର ଆଗ ଆଉ ଛାତ ଉପରକୁ ସେ ଏକ ପ୍ରକାର ଫଳ ଫୁଲ ବଗିଚାରେ ପରିଣତ କରିଛନ୍ତି । ବିଭିନ୍ନ ରକମର ଫୁଲ ଆଉ ଫଳ ସହ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏବେ ଅଙ୍ଗୁର ଚାଷ ତାଙ୍କୁ ଦେଇଛି ଏକ ନିଆରା ପରିଚୟ । ଦୀର୍ଘ ୪ବର୍ଷ ପୂର୍ବରୁ ସେ ଏହି ଅଙ୍ଗୁର ଗଛ ସବୁ ଆଣି ନିଜେ ଲଗାଇଥିଲେ ହେଲେ କୌଣସି ବର୍ଷ ଫଳ ହୁଏନି । ହେଲେ ଏ ବର୍ଷ ଚମତ୍କାର ହେଇଛି । କରାଣ ଅଙ୍ଗୁର ପେନ୍ଥାରେ ଚମକୁଛି ତାଙ୍କ ଛାତ ଉପର । ତଳୁ ଛାତ ଉପର ପର୍ଯ୍ୟନ୍ତ ଅଙ୍ଗୁର ଗଛରେ ଏବେ ମାଳ ମାଳ ଅଙ୍ଗୁର ସମସ୍ତଙ୍କ ମନ ଲୋଭଉଛି । ସାଧରଣତର ରାଜ୍ୟର ଏହି ପ୍ରାନ୍ତରେ ଅଙ୍ଗୁର ଫସଲ ଦେଖିବାକୁ ମିଳେନି । ହେଲେ ଅଭୟଙ୍କ ବାଡ଼ିରେ ଫଳିଥିବା ଏହି ଅଙ୍ଗୁର ଅନେକ ଗବେଶକମାନଙ୍କୁ ମଧ୍ୟ ଗବେଷଣାର ଖୋରାକ ଯୋଗାଇବା ସହ ଏ ଅଞ୍ଚଳରେ ଅଙ୍ଗୁର ଚାଷର ବ୍ୟାପକ ସମ୍ଭାବନା ସୃଷ୍ଟି କରିବ । ଏ ପର୍ଯ୍ୟନ୍ତ ଅଭୟଙ୍କୁ କୌଣସି ସରକାରୀ ସହାୟତା ମିଳିନି । ତେବେ ସରକାର ତାଙ୍କର ଏହି ଅଙ୍ଗୁର ଚାଷକୁ ଅନୁଧ୍ୟାନ କଲେ ନିଶ୍ଚୟ ଅଙ୍ଗୁର ଚାଷର ସମ୍ଭାବନା ଏ ଅଞ୍ଚଳରେ ସୃଷ୍ଟି ହେବ ବୋଲି ଅଞ୍ଚଳର ବହୁ ବରିଷ୍ଠ ଚାଷୀ କହିଛନ୍ତି ।