ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ

ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ

ନାଗ ସାପ କାମୁଡ଼ା ଘଟଣା: ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ
ଆସନ୍ତା କାଲି ଫେରିବେ ଘରକୁ


କଟକ (ଏନ୍‌.ଏମ୍‌.): ନାଗ ସାପ କାମୁଡ଼ାରେ କଲବଲ ହେଉଥିବା କୁନି ଝିଅଟି ଏବେ ସୁସ୍ଥ ହୋଇଛି । ଆସନ୍ତାକାଲି ସେ ମେଡ଼ିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିବ ବୋଲି କଟକ ବଡ଼ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ, ଦୀର୍ଘ ୪ମାସ ତଳେ ଜୁନମାସରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ୯ ବର୍ଷୀୟା ନାବାଳିକା ମଞ୍ଜୁଳା ଘର ପାଖରେ ଖେଳୁଥିବାବେଳେ ତାକୁ ଏକ ନାଗସାପ କାମୁଡ଼ି ଦେଇଥିଲା । ତେବେ ପରିବାର ଲୋକେ ଝଡ଼ା ଫୁଙ୍କା କରିବା ସହ ରାଗରେ କାମୁଡ଼ିଥିବା ସାପକୁ ପଣବନ୍ଦୀ ସଦୃଶ ଘୋଡ଼ାଇ ରଖିଥିଲେ । ତେବେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା ହେତୁ ଉନ୍ନତ ଚିକିତ୍ସା ପାଇଁ ଅସଫଳ ହୋଇ ପଡ଼ିଥିଲେ । ତେବେ ଏ ନେଇ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ସହାୟତାର ହାତ ବଢ଼ିଥିଲା । ଏବେ ମଞ୍ଜୁଳା ସୁସ୍ଥ ହେବା ସହ ମୁହଁରେ ହସ ଫୁଟିଛି । କଟକ ବଡ଼ ମେଡିକାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଏହି କୁନି ଝିଅଟି ନୂଆ ଜୀବନ ପାଇପାରିଛି । ଏଥିସହ ପଚି ଯାଇଥିବା ହାତଟିକୁ ମଧ୍ୟ ରକ୍ଷା କରାଯାଇପାରିଛି । କଟକ ବଡ଼ ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସିତ ହେବା ପରେ ଶେଷରେ ଆସନ୍ତାକାଲି ନିଜ ଘରକୁ ଫେରିବ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଦିନେ ହସ ଭୁଲି ଯାଇଥିବା ମଞ୍ଜୁଳାର ହସ ହସ ମୁହଁ ଦେଖି ଏବେ ସମସ୍ତେ ଆଶ୍ୱସ୍ତ । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ବି ଦୁଇ ଦୁଇ ଥର ଅପରେସନ ପରେ ମଞ୍ଜୁଳାର ହାତକୁ ରକ୍ଷା କରାଯାଇ ପାରିଛି । ସାପ କାମୁଡ଼ା ଯୋଗୁ ତା’ ଡାହାଣ ହାତଟି ଫୁଲି ପଚି ଯାଇଥିଲା । ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ନବରଙ୍ଗପୁର ଓ ପରେ କୋରାପୁଟ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ କୋରାପୁଟର ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇ ପାରି ନ ଥିଲେ । ଏପରିକି କୁନି ଝିଅଟି ସାପ ବିଷ ଜ୍ୱଳା ସହି ନପାରି ତାକୁ ଜୀବନରୁ ମାରିଦେବାକୁ କାକୁତି ମୀନତି ହେଉଥିଲା । ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତା’ ଦୁଃଖକୁ ସହି ନପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପା ମା’ । ପ୍ରଶାସନ ଓ ସରକାରଙ୍କ ସହାୟତା ପରେ ଏସସିବି ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସାଧୀନ ରହିଥିଲା । ଏସସିବିରେ ତା’ର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଞ୍ଜୁଳାର ୨ ଥର ଅପରେସନ୍ ମଧ୍ୟ ହୋଇଛି । ଏବେ ମଞ୍ଜୁଳାର ପଚି ଯାଇଥିବା ହାତଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନଥିଲେ ମଧ୍ୟ ବିପଦମୁକ୍ତ ଥିବା ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ଝିଅ ଭଲ ହେବ ବୋଲି ଆଶା ଛାଡ଼ି ଦେଇଥିବା ମଞ୍ଜୁଳାର ପରିବାର ଲୋକ ମଧ୍ୟ ଏବେ ଝିଅର ହସ ହସ ମୁହଁ ଦେଖି ବେଶ୍ ଖୁସି ହୋଇଥିବାବେଳେ ସରକାର ଓ ଡାକ୍ତରଙ୍କ ଯୋଗୁଁ ତାଙ୍କ ଝିଅର ପୁର୍ନଜନ୍ମ ପାଇଥିବା ଅତି ଭାବ ବିହ୍ୱଳ ହୋଇ ପ୍ରକାଶ କରିଛନ୍ତି ।

 

 

 

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ