ନରସିଂହପୁର ମିଶନ ଶକ୍ତିର ମା’ ପ୍ରଗଳା ମହିଳା ମହାସଂଘରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ଚଢ଼ାଉ

ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ନରସିଂହପୁର ମିଶନ ଶକ୍ତିରେ ବ୍ୟାପକ ଦୁର୍ନୀତି ହେବା ନେଇ ଅଭିଯୋଗ ହେବା ପରେ ଆଜି ତଦନ୍ତ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ଆଜି ଭିଜିଲାନ୍ସ ବିଭାଗ ଅଧିକାରୀମାନେ ମିଶନ ଶକ୍ତିର ଏକ ମହିଳା ସଂଗଠନ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ, ୨୦୧୮ ମସିହାରୁ ମା’ ପ୍ରଗଳା ମହିଳା ମହାସଂଘର ୫୪ ଲକ୍ଷ ଘୋଟଲା ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଆର୍ଥିକ ଅନିୟମିତତା ହୋଇ ଥିବା ଅଭିଯୋଗ ପାଇ ଆଜି ବିଭାଗର ଏକ ସ୍ୱତନ୍ତ୍ର ଟିମ ଆସି ଏହାକୁ ତଦନ୍ତ କରୁଛନ୍ତି । ତେବେ ଏହି ସଂଗଠନରେ ଅନେକ ଦୁର୍ନୀତି ହୋଇଥିବା ନେଇ ମହିଳାମାନେ ଅଭିଯୋଗ କରିଥିଲେ । ତେବେ ବର୍ଷ ବର୍ଷ ଧରି ଏଠାରେ ଦୁର୍ନୀତି ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ଫଳରେ ଅଭିଯୋଗକାରୀମାନେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଅପରପକ୍ଷରେ ମିଶନ ଶକ୍ତି ଅଧିକାରୀ ମହେନ୍ଦ୍ର କୁଣ୍ଡୁ ଓ ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର ଏବଂ ରାଜ୍ୟସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ କରାଯାଇଥିଲା । ତେବେ ଏ ନେଇ ଆଜି ଭିଜିଲାନ୍ସ ତରଫରୁ ମିଶନ ଶକ୍ତି କାର୍ଯ୍ୟାଳୟରୁ କିଛି ଜରୁରୀ କାଗଜ ପତ୍ର ଓ ଲାପଟପକୁ ଜବତ କରାଯାଇଥିଲା । ଉକ୍ତ ଘଟଣାକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ମହିଳା ମାନେ ନ୍ୟାୟ ପାଇପାରୁନଥିବା ଅଭିଯୋଗ ହୋଇଛି । ତେଣୁ ଏହାକୁ ରାଜନୈତିକ ଚାପ ପ୍ରୟୋଗ କରି କର୍ତ୍ତୃପକ୍ଷ ଦୁର୍ନୀତିକୁ ଚପାଇ ଦେବାକୁ ବସିଛନ୍ତି ବୋଲି ମହିଳାମାନେ ଅଭିଯୋଗ ଆଣିଛନ୍ତି । ଆଜି କଟକ ଭିଜିଲାନ୍ସ ତରଫରୁ ଏକ ସ୍ୱତନ୍ତ୍ର ଟିମ ନରସିଂହପୁର ମହିଳା ମିଶନ ଶକ୍ତି କାର୍ଯ୍ୟାଳୟରେ ପହଞ୍ଚି ଚଢ଼ାଉ ଆରମ୍ଭ କରିଥିଲେ । ଏହି ଅବସରରେ ବ୍ଲକ ସଭାଗୃହରେ ଟିମର ସଦସ୍ୟମାନେ ପହଞ୍ଚି ୩୮ଜଣଙ୍କ ଠାରୁ ବୟାନ ରେକର୍ଡ଼ କରିଥିଲେ । ଏହି ଚଢ଼ାଉରେ ଭିଜିଲାନ୍ସ ଡିଏସପି ଗୀତାଞ୍ଜଳି ସାହୁଙ୍କ ସହ ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ଘଟଣାର ଯାଞ୍ଚ ଚଳାଇଛନ୍ତି । ତେବେ ଏହି ଟିମ ନିଜିଗଡ଼ର ମା ପ୍ରଗଳା ସଙ୍ଘର ସମସ୍ତ ମହିଳା ସଦସ୍ୟଙ୍କ ଠାରୁ ଅଭିଯୋଗ ରେକର୍ଡ଼ କରିଥିବା ଜଣାପଡ଼ିଛି ।