ମାଗିବା ପୂର୍ବରୁ ରାକ୍ଷୀର ପାଉଣା ଦେଇଦେଲେ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନରେ ସାମିଲ ହେଲେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର(ଏନ୍.ଏମ୍.): ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଓଡ଼ିଶାରେ ପହଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ସହକାରେ ତାଙ୍କୁ ରାଜଭବନକୁ ପାଛୋଟି ନିଆଯାଇଥିଲା । ଏହାପରେ ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କଲା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ଶ୍ରୀମତୀ ମୁର୍ମୁ । ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ରାକ୍ଷୀର ପାଉଣା ମାଗିବା ପୂର୍ବରୁ ସେ ଦେଇଦେଲେ ବୋଲି କହିଥିଲେ’ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମତୀ ମୁର୍ମୁ ରାକ୍ଷୀ ବାନ୍ଧିଥିଲେ । ରାକ୍ଷୀର ପାଉଣା ମାଗିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇସାରିଛନ୍ତି । ଭାଇଭଉଣୀଙ୍କ ସଂପର୍କ ଆହୁରି ନିବିଡ଼ ହୋଇଛି । ଭଉଣୀ (ଦ୍ରୌପଦୀ ମୁର୍ମୁ)ଙ୍କ ମନ କଥା ଜାଣି ଭାଇ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ) ତାଙ୍କୁ ସମର୍ଥନ ଦେଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ପାଇଁ ଓଡ଼ିଶା ମାଟି ଗର୍ବିତ । ତେବେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶ୍ରୀମତୀ ମୁର୍ମୁଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେବା ସହ ଯେପରି ଖଣ୍ଡିଏ ଭୋଟ୍ ନାକଚ ନ ହୁଏ, ସେଥିପାଇଁ ଯତ୍ନବାନ ହେବାକ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଶ୍ରୀମତୀ ମୁର୍ମୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାନ୍ନ ଭୋଜନରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
News by B. Mishra (BBSR)