ଧବଳେଶ୍ୱରଙ୍କ ପୀଠରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ
ପଞ୍ଚକର ଦ୍ୱିତୀୟ ଦିନରେ ବାବାଙ୍କ ଦର୍ଶନରୁ ବଞ୍ଚିତ ରହିଲେ ଶ୍ରଦ୍ଧାଳୁ
# କଟକ(ଏନ୍.ଏମ୍.): ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ବିଭିନ୍ନ ବିଭ୍ରାଟ ଦେଖିବାକୁ ମିଳିଛି । କାର୍ତ୍ତିକମାସର ପଞ୍ଚୁକ ତିଥିରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ କଲେ କୋଟି ପୂଣ୍ୟର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ବିଶ୍ୱାସକୁ ହୃଦୟରେ ଧରି ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଧାଇଁ ଆସୁଛନ୍ତି । ହେଲେ ଆଜି କେତେକ କାରଣ ଯୋଗୁଁ ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରି ନପାରି ନିରାଶରେ ଫେରିଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘ ୭ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବାବାଙ୍କ ଦର୍ଶନ କରିପାରିନଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ବାବାଙ୍କ ଦର୍ଶନ ନିମନ୍ତେ ପହଡ଼ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେବାୟତମାନଙ୍କୁ କେଉଁ ସମସ୍ୟା ଯୋଗୁଁ ବାବାଙ୍କ ଦର୍ଶନରେ ବିଭ୍ରାଟ ହେଲା ସେ ନେଇ ପ୍ରଶାସନ ଅଣଦେଖା କରିବା ଯୋଗୁଁ ସେବାୟତ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ମଞ୍ଚେଶ୍ୱର ଠାରେ ବାବା ଧବଳେଶ୍ୱରଙ୍କ ପୀଠ ରହିଛି । ବିଶେଷ କରି କାର୍ତ୍ତିକ ମାସରେ ବାବାଙ୍କ ସ୍ୱତନ୍ତ୍ର ପୂଜା ବଡ଼ ଓଷା କରାଯାଏ । ଏହି ପରିପ୍ରେକ୍ଷୀରେ ବାବାଙ୍କ ବିଭିନ୍ନ ବେଶ ମଧ୍ୟ ହୋଇଥାଏ । ଗତକାଲି ଚନ୍ଦ୍ରମଉଳି ବେଶ ହୋଇଥିବାବେଳେ ଆଜି ବାବାଙ୍କର ଗଙ୍ଗାଧର ବେଶ ହୋଇଥିଲା । ହେଲେ ପ୍ରଶାସନ ପକ୍ଷରୁ ମନମୁଖୀ ଭାବେ ବ୍ୟାରିକେଟ କରି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରିଥିବାରୁ ଏହାକୁ ସେବାୟତମାନେ ବିରୋଧ କରିଥିଲେ । ବ୍ୟାରିକେଟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ କହିନଥିଲେ ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ପୂଜାର୍ଚ୍ଚନା କରିବାର ସୁଯୋଗ ଦେବାକୁ ଦାବି କରିଥିଲେ । ଏପରିକି ବ୍ୟାରିକେଟ ବାହାରେ ଥିବା ଚପଲ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଭୋଗ ଦୋକାନ, ପୂଜା କରିବା ଓ ପୂଜକଙ୍କ ଦକ୍ଷିଣା ଆଦି ପ୍ରଦାନ କରିବାରେ ଏହି ବ୍ୟାରିକେଟ ଅନ୍ତରାୟ ସୃଷ୍ଟି କରିଥିଲା । ଫଳରେ କିଛି ଶ୍ରଦ୍ଧାଳୁ ଚପଲ ପିନ୍ଧି ମନ୍ଦିର ଆଡ଼କୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଥିଲା । ତେଣୁ ଏହି ବ୍ୟାରିକେଟ ଯୋଗୁଁ ସେବାୟତମାନେ ଶ୍ରଦ୍ଧାଳୁମାନଙ୍କ ଠାରୁ କୌଣସି ଦକ୍ଷିଣା ପାଇ ନଥିଲେ । ଏପରିକି ଶ୍ରଦ୍ଧାଳୁମାନେ ପୀଠରେ ନିଜେ ନଡ଼ିଆ ବାଡେଇ ଚାଲି ଯାଇଥିଲେ । ଯାହା ଦ୍ୱାରାକି ବର୍ଷଯାକର ରୋଜଗାର ବ୍ୟାହତ ହୋଇଥିଲା । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ସେବାୟତ ମାନେ ଦିନ ୧୦ଟା ପରେ ପରେ ବାବାଙ୍କ ମନ୍ଦିର ପହୁଡ଼ ପକାଇ ଏହାର ପ୍ରତିବାଦ କରିଥିଲେ । ଫଳରେ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସେବାୟତମାନଙ୍କ ପକ୍ଷରୁ ବିଭିନ୍ନ ଦାବି କରାଯାଇ ଏଭଳି ପ୍ରତିବାଦ କରାଯାଇଛି । ବ୍ୟାରିକେଟ ଦେଇ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ପୂଜକମାନଙ୍କ ନିକଟକୁ ଯିବା ପାଇଁ ସୂଯୋଗ ଦିଆଯିବାକୁ ଦାବି କରି ପୂଜକମାନେ ଧାରଣାରେ ବସିଥିଲେ । ତେବେ ବାବାଙ୍କ ପୀଠରେ ଏଭଳି ପରିସ୍ଥିତି କେବଳ ପ୍ରଶାସନର ଅବହେଳା ପାଇଁ ସୃଷ୍ଟି ହୋଇଥିବା ଧବଳେଶ୍ୱର ପୂଜକ ସମିତି ପକ୍ଷରୁ କୁହାଯାଇଛି । ଏପରିକି ରାତି ପାହିଲେ ବଡ଼ଓଷା ତେଣୁ ପ୍ରଶାସନ ଏହାର ତ୍ୱରିତ ସମାଧାନ ନକଲେ ପରିସ୍ଥିତି ଜଟିଳ ହେବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ଆଠଗଡ଼ ଉପଜିଲ୍ଲାପାଳ ୧ଘଣ୍ଟା ମଧ୍ୟରେ ତୁରନ୍ତ ମନ୍ଦିର ଖୋଲିବା ପାଇଁ ନୋଟିସ ଦେଇଥିବାବେଳେ ଏହାକୁ ଅମାନ୍ୟ କଲେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।