ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏ କୂଳର ହେଲୁ ନା ସେ କୂଳର
ରାସ୍ତାରେ ଲହଡି ମାରୁଛି ଡ୍ରେନର ନର୍ଦ୍ଦମାପାଣି ବୁଝିବ କିଏ ?
‘ମେୟର ଏକାହିଁ ସାହା ଭରସା’
ଜଗତପୁର (ଏନ୍.ଏମ୍.): କଟକ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେବା ଏକ ସାଧାରଣ ଘଟଣା ହୋଇ ପଡ଼ିଛି । ସିଏମସି ଅନ୍ତର୍ଗତ ୫୯ଟି ଯାକ ୱାର୍ଡ଼ରେ କିଛିନାକିଛି ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରିବାରେ ସିଏମସି କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ବିଶେଷ କରି ସିଏମସିରେ ଦୀର୍ଘ ବର୍ଷ ଧରି କାଉନସିଲ ଗଠନ ନହେବା ଯୋଗୁଁ ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରୁନଥିଲା ବୋଲି ଅଭିଯୋଗ ଉଠିଥିଲା । ମାତ୍ର ଏବେ କାଉନସିଲ ଗଠନ ସରିବା ସହ କଟକ ସହରର ବହୁବିଧ ସମସ୍ୟାର ସମାଧାନ ପାଇଁ ମେୟର ଓ ଡେପୁଟି ମେୟର ଅଣ୍ଟା ଭିଡିଛନ୍ତି । ଅନେକ ସ୍ଥାନରେ ଥିବା ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ ମଧ୍ୟ କରୁଛନ୍ତି । ତେଣୁ ବିଶେଷ ସମସ୍ୟା ରହିଥିବା ଅଞ୍ଚଳରେ କର୍ପୋରେଟରମାନେ ସହଯୋଗ କରୁନଥିବାବେଳେ ଏନେଇ ମେୟର ଓ ଡେପୁଟି ମେୟର ଦୃଷ୍ଟି ଦେବା ପାଇଁ ସହରବାସୀ ନିବେନଦନ କରିଛନ୍ତି । ସେହିଭଳି ଏବେ ସହରରେ ବିସ୍ତାବିତ ହୋଇଥିବା ବସ୍ତିବାସିନ୍ଦା ଗୋଟିଏ ୱାର୍ଡ଼କୁ ଯାଇଥିବାବେଳେ ସେମାନଙ୍କ ଭୋଟର ତାଲିକା ଅନ୍ୟ ୱାର୍ଡ଼ରେ ରହିଛି । ତେଣୁ ପୂର୍ବ ୱାର୍ଡ଼ର କର୍ପୋରେଟର କିମ୍ବା ଥଇଥାନ ହୋଇଥିବା ଅଞ୍ଚଳର କର୍ପୋରେଟର ସେମାନଙ୍କ ଦୁଃଖ ବୁଝିବେ ସେ ନେଇ ଗରିବ ବସ୍ତିବାସିନ୍ଦା ଏବେ ଦୋଛକିରେ ରହିଛନ୍ତି ।
ଅଭିଯୋଗ ଅନୁଯାୟୀ, କଟକ ମହାନଗର ନିର୍ବାଚନ ବେଳେ ଗଦାଗଦା ପ୍ରତିଶ୍ରୁତି ଦେଇ ପରେ ବିଜୟ ଲାଭ କରିଥିବା କିଛି କର୍ପୋରେଟର ଦିନ କେଇଟା ପରେ ଅସଲ ଚେହେରା ଦେଖାଇଥିବା ଅଭିଯୋଗ ଉଠିଛି । ଏ ସବୁ ବିଷୟ ଉପରେ ମେୟର ଓ ଡେପୁଟି ମେୟର ଦୃଷ୍ଟି ଦେବା ପାଇଁ ସହରବାସୀ ଦାବି କରିଛନ୍ତି । ତେବେ କଟକ ବଡମେଡିକାଲ ସମ୍ପ୍ରସାରଣ ପାଇଁ ମେଡ଼ିକାଲ ପାଶ୍ୱର୍ରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇ ଜଗତପୁର ବିରୂପା ନଦୀ କୂଳରେ ଥଇଥାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଥଇଥାନ ପାଇଁ କିଛି ଆର୍ଥିକ ସହାୟତା ଦିଆଯାଇଥିଲେ ମଧ୍ୟ ସେମାନଙ୍କ ମୌଳିକ ସୁବିଧା ନିମନ୍ତେ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଗଲା ନାହିଁ । ବସ୍ତିପିଲାଙ୍କ ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ ପ୍ରର୍ଯ୍ୟନ୍ତ କୌଣସି ସୁବିଧା ସୁଯୋଗ ମିଳୁ ନଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ବସ୍ତିରେ ଶିକ୍ଷା କ୍ଷେତ୍ରରେ କୁନି କୁନି ପିଲାମାନଙ୍କ ପାଇଁ ଅଙ୍ଗନୱାଡି ଗୃହଟିଏ ମଧ୍ୟ ନିର୍ମାଣ ହୋଇନାହିଁ । ଖୋଲାମେଲାରେ ବସ୍ତି ପିଲାମାନେ କମ୍ୟୁନିଟି ହଲରେ ବସି ପାଠ ପଢୁଥିବା ବେଳେ ଧୁଳିବାଲିରେ ଖୋଲା ମେଲାରେ ଖାଇବାକୁ ମଧ୍ୟ ଦିଆଯାଉଛି । ବସ୍ତି ଲୋକମାନଙ୍କ ପାଖରେ କିଛି ବିକଳ୍ପ ନଥିବାରୁ ସେମାନେ ତାଙ୍କ ଭାଗ୍ୟକୁ ଆଦେରି ସେଠାରେ ପଡିରହିଛନ୍ତି । ବିଶେଷ କରି ଉକ୍ତ ଅଞ୍ଚଳରେ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଯେଉଁ ରାସ୍ତା ଖଣ୍ଡିଏ ଅଛି ସେଥିରେ ନର୍ଦ୍ଦମା ପାଣି ଲହଡ଼ି ମାରୁଛି । ଏପରିକି ଏହି ଡ୍ରେନ ପାଣି ରାସ୍ତା ଉପରେ ଖସିଯାଇ ସାରା ବସ୍ତିରେ ଲହଡି ମାରିବାର ଦେଖିବାକୁ ମିଳିଛି । ତେବେ ଏହି ବସ୍ତିରୁ ଏକ ଡ୍ରେନ ନିମପୁର ଶ୍ମଶାନ ପାଖରୁ ଆରମ୍ଭ ହୋଇ ଆଇ.ବି. ରୋଡ ମଙ୍ଗଳା ଗଡା ଅପରପାଶ୍ୱର୍ ପ୍ରର୍ଯ୍ୟନ୍ତ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଏହି ନର୍ଦ୍ଦମା ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଜ୍ୟଜଳ ରାସ୍ତା ଉପରେ ଜମା ହୋଇ ରହୁଛି । ଫଳରେ ଏଥିରୁ ଦୁର୍ଗନ୍ଧ ସୃଷ୍ଟି ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ପୁନଶ୍ଚ ବସ୍ତି ନିର୍ମାଣ ସମୟରେ ନିମ୍ନମାନର ଶୋଚାଳୟ ନିର୍ମାଣ ହୋଇଥିବାରୁ ଏଠାରେ ଫାଟ ସୃଷ୍ଟି ହୋଇ ସେଥିରୁ ନିର୍ଗତ ହେଉଥିବା ସ୍ୱରେଜ ପାଣି ବସ୍ତି ଭିତରେ ରହି ପରିବେଶକୁ ଅଧିକ ପ୍ରଦୂଷିତ କରୁଛି । ତେବେ ଏଠାରେ ଦୀର୍ଘ ୫ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲୋକମାନେ ଏଭଳି ସମସ୍ୟାରେ ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହୋଇଛି । ତେବେ ଏହି ଅଞ୍ଚଳଟି ସିଏମସି ୪୮ ନମ୍ବର ୱାର୍ଡ଼ ଅଞ୍ଚଳର ହୋଇଥିବାବେଳେ ଥଇଥାନ ହୋଇଥିବା ବସ୍ତିବାସିନ୍ଦାମାନେ ସିଏମସିର ୩୫ ନମ୍ବର, ୪୦ ନମ୍ବର ଓ ୪୧ ନମ୍ବର ବାସିନ୍ଦା । ତେଣୁ ଏହି ଅଞ୍ଚଳର ବିକାଶ କିମ୍ବା ସମସ୍ୟାର ସମାଧାନ କ୍ଷେତ୍ରରେ ସ୍ଥାନୀୟ କର୍ପୋରେଟର ଆଦୌ ଗୁରୁତ୍ୱ ଦେଉନଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ଏହି ଅଞ୍ଚଳରେ କୌଣସି ପ୍ରକଳ୍ପର ଶିଳାନ୍ୟାସ ବେଳେ ସ୍ଥାନୀୟ କର୍ପୋରେଟର ଆଗରେ ରହି ବିଧାୟକଙ୍କ ସହ ଫଟୋ ଉଠାଉଥିବାବେଳେ ସମସ୍ୟା ଶୁଣିବା ପାଇଁ ପଛକୁ ଚାଲିଯାଉଛନ୍ତି ବୋଲି ବସ୍ତିବାସିନ୍ଦା କ୍ଷୋଭର ସହ କରିଛନ୍ତି । ତେଣୁ ସିଏମସି ମେୟର ଓ ଡେପୁଟି ମେୟରଙ୍କ ଉପରେ ଭରଷା କରିଥିବା ଏହି ବସ୍ତିର ମୁରବୀମାନେ କହିଛନ୍ତି ।