ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର
ଦେବଗଡ଼ (ଏନ୍.ଏମ୍.) : କଟକ ପରେ ଏବେ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତକାଲି ରାତ୍ରୀ ପ୍ରାୟ ୮ଟା ସମୟରେ ରିଆମାଳ ବନଖଣ୍ଡ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରେ ହାତୀ ତାଣ୍ଡବ ସୃଷ୍ଟି କରିଛି । ଉକ୍ତ ଗ୍ରାମର ଜଣେ ଯୁବଙ୍କୁ ହାତୀ ଅତର୍କିତ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାତି ପ୍ରାୟ ୮ ଟା ସମୟରେ ଲକ୍ଷ୍ମୀପୁର ଗ୍ରାମର ମଙ୍ଗୁଳୁ ଶବରଙ୍କ ପୁଅ ଶରତ ଶବର (୪୫)ନାମକ ଜଣେ ଯୁବକ ନିକଟସ୍ଥ କଣ୍ଟାବାହାଳ ଗ୍ରାମରୁ ଏକ ସାଇକେଲ ଯୋଗେ ନିଜ ଗ୍ରାମ ଲକ୍ଷ୍ମୀପୁରକୁ ଫେରୁଥିଲେ । ତେବେ ସେ କଣ୍ଟାବାହଳ ଖେଳ ପଡିଆ ପାରିହୋଇ ବାହାଡା ଛକ ନିକଟସ୍ଥ ମୂଖ୍ୟ ରାସ୍ତାରେ ପହଞ୍ଚିବା ସମୟରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀଟି ତାଙ୍କୁ ଦେଖିବା କ୍ଷଣି ଅତର୍କିତ ଆକ୍ରମଣ କରିବା ସହ ତାଙ୍କୁ ଦଳି ଚାଲିଯାଇଥିଲା । ଫଳରେ ଶରତ ଗୁରୁତର ଆହତ ଅବସ୍ଥାରେ ସେଠାରେ ପଡି ରହିଥିଲେ । ଉକ୍ତ ରାସ୍ତା ଦେଇ ଯାଉଥିବା କେତେକ ପଥଚାରୀ ତାଙ୍କୁ ଏଭଳି ଅବସ୍ତାରେ ଦେଖି ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ତାଙ୍କୁ ନିକଟସ୍ଥ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏ ସଂକ୍ରାନ୍ତରେ ଖବର ପାଇ ପଳସମା ଫରେଷ୍ଟର ସୁବାସ ଚନ୍ଦ୍ର ଦେହୁରୀ ଡାକ୍ତରଖାନାରେ ପହଞ୍ଚି ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ସହ ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ଜନବସତି ନିକଟରୁ ଉକ୍ତ ଦନ୍ତା ହାତୀଟିକୁ ଜଙ୍ଗଲକୁ ଘଉଡାଇବାର ବ୍ୟବସ୍ଥା କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ହାତୀ ବାରମ୍ବାର ଜନବସତି ମୁହାଁ ହେଉଛନ୍ତି କାହିଁକି? କିଭଳି ସେମାନଙ୍କୁ ଗ୍ରାମାଭିମୁଖୀ ହେବାକୁ ରୋକା ଯାଇ ପାରିବ । ଏଭଳି ବାରମ୍ବାର ଘଟିବା ଯୋଗୁଁ ହାତୀ ମଣିଷ ମଧ୍ୟରେ ଏକ ପ୍ରକାର ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଛି । କେଉଁଠି ହାତୀ ଆକ୍ରମଣରେ ମଣିଷର ପ୍ରାଣ ଯାଉଛି ତ ଆଉ କେଉଁଠି ମଣିଛର ଚକ୍ରାନ୍ତ କାରୀ ଫାନ୍ଦରେ ଫସି ହାତୀ ମଧ୍ୟ ମୃତ୍ୟୁବରଣ କରୁଛି । ତେବେ ଏହାର ସମାଧାନ କେବେ ଓ କିଭଳି ହେବ ତାହା ସମୟ କହିବ ବୋଲି ବନ୍ୟଜନ୍ତୁ ପ୍ରେମୀମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ହାତୀମାନଙ୍କୁ ଗ୍ରାମାଭିମୁଖୀ ନହେବା ପାଇଁ ସରକାରଙ୍କ ପକ୍ଷରୁ ଏକ କାମ୍ପା ଫଣ୍ଡ ବ୍ୟବସ୍ଥା କରାଯାଇ ଏହି ଅର୍ଥରେ ଜଙ୍ଗଲମାନଙ୍କରେ ହାତୀମାନଙ୍କୁ ବର୍ଷସାରା ଖାଦ୍ୟ ଯୋଗାଇବା ନିମନ୍ତେ ଜାମୁଗଛ, ବରଗଛ ଆଦି ଲଗାଇବା, ବନ୍ୟଜନ୍ତୁମାନଙ୍କୁ ଜଳକ୍ଲିଷ୍ଟରୁ ମୁକ୍ତି ଦେବା ନିମନ୍ତେ ଜଙ୍ଗଲ ଭିତରେ ଜଳାଶୟ ନିର୍ମାଣ କରିବା ଏଥି ସହିତ ଜନବସତି ପାଖରେ ଥିବା ଜଙ୍ଗଲ କଡ଼ରେ ଷ୍ଟେଞ୍ଜ ଖୋଳିବା, ସୌରଶକ୍ତି ଚାଳିତ ବାଡ଼ ଦେବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ଆଜି ଦିଗହରା ହୋଇଛି । କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ଏହି କାର୍ଯ୍ୟ ହୋଇ ପାରୁନଥିବା ଯୋଗୁଁ ହାତୀମାନେ ଖାଦ୍ୟାଭାବର ସମ୍ମୁଖିନ ହୋଇ ଜଙ୍ଗଲ ଛାଡ଼ି ଗ୍ରାମାଭିମୁଖୀ ହେଉଥିବା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ମତପ୍ରକାଶ ପାଇଛି ।