ଦାବି ପୂରଣ ପାଇଁ ରାସ୍ତାରେ ଗର୍ଜିଲେ ତିର୍ତ୍ତୋଲ ବ୍ଲକ ଶିକ୍ଷକ ସଂଘ

ଜଗତସିଂହପୁର (ଏନ୍.ଏମ୍.): ତିର୍ତ୍ତୋଲ ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବିକୁ ନେଇ କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ କରାଯାଉଥିବା ଦାବି ଗୁଡ଼ିକ ମଧ୍ୟରେ ଠିକା ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଠିକା ଚାକିରୀ କାର୍ଯ୍ୟକାଳକୁ ଚାକିରୀ କାଳରେ ଗଣନା କରିବା ସହିତ ୬ବର୍ଷର ଇନକ୍ରିମେଣ୍ଟ୍ ପ୍ରଦାନ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ନୂତନ ପେନସନ୍ ବଦଳରେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା, ୬ବର୍ଷ ଠିକା ସମୟକୁ ନିୟମିତ ଚାକିରୀ କାଳରେ ଗଣନା କରି ସମସ୍ତ ଶିକ୍ଷା ସହାୟକଙ୍କୁ ଦରମା ବୃଦ୍ଧି କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଶିକ୍ଷକ ମହାସଂଘ ଡାକରାରେ ଆୟୋଜିତ ଏହି ଶୋଭାଯାତ୍ରାରେ ୨୩୦ରୁ ଉର୍ଦ୍ଧ ପ୍ରାଥମିକ ଶିକ୍ଷକ ଯୋଗ ଦେଇଥିଲେ । ଉକ୍ତ ଶୋଭାଯାତ୍ରା ନାଉସିରା ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟରୁ ବାହାରି କଟକ-ପାରାଦ୍ୱୀପ ରାସ୍ତାରେ ଶୋଭାଯାତ୍ରାରେ ଯିବା ସମୟରେ ନିଜର ବିଭିନ୍ନ ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ପୂରଣ କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ନାରାବାଜି କରି ତିର୍ତ୍ତୋଲ କଲେଜ୍ ନିକଟରେ ପହଞ୍ଚିବା ପରେ ସେଠାରୁ ପଛକୁ ଫେରି ବ୍ଲକଛକ ପର୍ଯ୍ୟନ୍ତ ଯାଇ ସେଠାରୁ ତିର୍ତ୍ତୋଲ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିବାପରେ ସେଠାରେ ସମସ୍ତ ଶିକ୍ଷକମାନେ ଏକତ୍ରିତ ହେବା ସହ ଏକ ସଭା ଅନୁଷ୍ଠିତ ହୋଇଥିଲା । ଶେଷରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଶୋଭାଯାତ୍ରାକୁ ତିର୍ତ୍ତୋଲ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅକ୍ଷୟ କୁମାର ନାୟକ, ଉପସଭାପତି ରଜନୀକାନ୍ତ ବେହେରା, ସାଧାରଣ ସମ୍ପାଦକ ସେକ୍ ଅମନ୍ ଉଲ୍ଲା, ଉପଦେଷ୍ଟା ରଶ୍ମିରଞ୍ଜନ ମହାପାତ୍ର, ବିଶ୍ୱନାଥ ଗିରି ଓ ଏନ୍.ପି.ଏସ୍ ସଂଘର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ । ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟ ସଂଘ ନେତୃତ୍ୱରେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।