ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା ଉତ୍ସବ-୨୦୨୨
ନିମ୍ନମାନର କାମ ନେଇ ଅସନ୍ତୋଷ
କୋଣାର୍କ(ଏନ୍.ଏମ୍.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା କୋଣାର୍କ ଉତ୍ସବ-୨୦୨୨ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ବିଶେଷ କରି ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରୀନିବାସ ମରାମତି ଓ ରଙ୍ଗ କାର୍ଯ୍ୟ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହେବା ସହ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏଥିରେ ମୁକ୍ତାକାଶ ରଙ୍ଗମଞ୍ଚ, ଗ୍ରୀନରୁମ ଏବଂ ଯାତ୍ରୀନବାସର ଗୃହ ମରାମତି ଓ ରଙ୍ଗ କାର୍ଯ୍ୟ ଉଭୟ ସ୍ଥାନର ପାଚେରୀ ମରାମତି ଓ ରଙ୍ଗ କାର୍ଯ୍ୟ ସହିତ ଝୋଟି ଚିତା କାର୍ଯ୍ୟ ରହିଛି । ଏହି କାର୍ଯ୍ୟ କରିବା ନିମନ୍ତେ ଟେଣ୍ଡର ପ୍ରକ୍ରିୟାରେ ଟେଣ୍ଡର ପାଇଥିବା ଠିକାଦାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପର୍ଯ୍ୟଟନ ବିଭାଗ କୋଣାର୍କ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଏହି ଅର୍ଥ ବ୍ୟାପକ ବାଟମାରଣା ହେଉଥିବା ସାଧାରଣରେ ଅଭିଯୋଗ ଉଠିଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଯେନତେନ ପ୍ରକାର କାମ କରି ରାଜସ୍ୱ ଲୁଟ ପାଇଁ ଚକ୍ରାନ୍ତ ଚାଲିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରୀନିବାସ ମରାମତି ଓ ରଙ୍ଗ କାର୍ଯ୍ୟ କରିବା ପାଇଁ ଯେଉଁ ଟେଣ୍ଡର ହାତେଇ ଥିବା ଠିକାଦାର ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାର୍ଯ୍ୟ କରୁଥବା ସାଧାଣରରେ ଅଭିଯୋଗ ହୋଇଛି । ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ କୌଣସି ଅଧିକାରୀ ଆସୁନଥିବାରୁ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା କୁହାଯାଉଛି । ଅନ୍ୟପକ୍ଷରେ ଏହି ଉତ୍ସବକୁ ଆଉ ୭ ଦିନ ବାକିଥିବାବେଳେ ଏଯାବତ ଏକ ତୃତୀୟଂଶ କାର୍ଯ୍ୟ ଶେଷ ହୋଇନଥିବା ଯୋଗୁଁ ଉତ୍ସବ ବେଳକୁ କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଯାହା ବାହାଘର ବେଳେ ବାଇଗଣ ରୁଆ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ଉତ୍ସବ ବେଳକୁ ସବୁ କାମ ହୋଇଯାଇଥିବ ବୋଲି କହିଛନ୍ତି ।