ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା : ୧୭ ମୃତ, ୪୦ ଉଦ୍ଧାର
ନୂଆଦିଲ୍ଲୀ (ଏନ୍.ଏମ୍.): ଫିଲିପାଇନ୍ସରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ୯୨ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ସି-୧୩୦ ଦକ୍ଷିଣ ଫିଲିପାଇନ୍ସ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି । ତେବେ ଜଳୁଥିବା ବିମାନର ଧ୍ୱଂସାବଶେଷରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏହି ବିମାନରେ ମୋଟ ୯୨ ଜଣ ଥିଲେ । ସେମାନଙ୍କ ମଧ୍ୟରେ ୩ଜଣ ପାଇଲଟ ଓ ୫ଜଣ ବିମାନ କର୍ମଚାରୀ ମଧ୍ୟ ଥିଲେ ବୋଲି ସେଠାକାର ଜଣେ ସେନା ଅଧିକାରୀ କହିଛନ୍ତି । ସି- ୧୩୦ ସାମରିକ ବିମାନ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫିଲିପାଇନ୍ସର ସାମରିକ ମୁଖ୍ୟ କହିଛନ୍ତି ଯେ ବିମାନର ଧ୍ୱଂସାବଶେଷରୁ ଅତି କମରେ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଯେପରି ଅଧିକରୁ ଅଧିକ ସେନାଙ୍କ ଜୀବନ ରକ୍ଷା କରାଯାଇପାରିବ ସେଥିପାଇଁ ଆମେ ଚେଷ୍ଟା କରୁଛୁ । ତେବେ ଏହି ଦୁର୍ଘଟଣା ୧୭ଜଣ ସେନାଙ୍କ ମୃତ୍ୟୁ ହୋଇଥିବାବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।