ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା
ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ତିରିରିଆ ବ୍ଲକ ନୂଆପାଟଣାଠାରେ ପ୍ରଭୁ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୩ଦିନ ଧରି ଚାଲିଥିବା ଏହି ଯାତ୍ରାରେ ବହୁରୂପୀଙ୍କ ବିଶାଳ ପଟୁଆରରେ ହାତ ତିଆରି ହାତୀ ଉପରେ ମଦନମୋହନ ଜୀଉଙ୍କ ଚଳନ୍ତି ପ୍ରତିମା ବିଜେ ହୋଇ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ନୂଆପାଟଣାର ସମସ୍ତ ସାହି ଗଳିର ସାଜସଜ୍ଜା ଓ ରଙ୍ଗୀନ ଆଲୋକମାଳାରେ ସମଗ୍ର ନୂଆପାଟଣା ଝଲସି ଉଠିଥିବା ଦେଖିବାକୁ ମିଳିଛି । ସୁନ୍ଦର ସାଜସଜ୍ଜା ସତେ ଯେମିତି ଅଞ୍ଚଳର ଭୂଗୋଳକୁ ବଦଳାଇ ଦେଉଥିଲା । ଏହି କାର୍ଯ୍ୟକ୍ରମରେ ବହୁରୂପୀଙ୍କ ନୃତ୍ୟ ସାଙ୍ଗକୁ ସହଶ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଓ ନାମ ସଂକୀର୍ତ୍ତନରେ ଗାଁ ଦାଣ୍ଡ ଉଛୁଳି ପଡ଼ିବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ କେବଳ ରୀତିନୀତି ଅନୁଯାୟୀ ଚନ୍ଦନ ଯାତ୍ରା ହୋଇଥିବାବେଳେ ଚଳିତ ବର୍ଷ ବେଶ ଧୁମଧାମରେ ଏହାକୁ ପାଳନ କରାଯାଇଛି । ତ୍ରିଦିବସୀୟ ଏହି ଯାତ୍ରାରେ ରବିବାର ଦିନ ଗ୍ରାମରେ ସାନଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ସୋମବାର ବଡ଼ଯାତ୍ରା ଏବଂ ମଙ୍ଗଳବାର ମାଛବିନ୍ଧା ଯାତ୍ରା ପୀଠର ପରମ୍ପରା ଅନୁଯାୟୀ ଏହାକୁ ପାଳନ କରାଯାଇଥିଲା । ଶ୍ରୀ ଜୀଉଙ୍କ ଏହି ଚନ୍ଦନଯାତ୍ରାକୁ ଦେଖିବା ନିମନ୍ତେ ପାଖ ପଡୋଶୀ ଗ୍ରାମରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଘରେ ଘରେ ବନ୍ଧୁବାନ୍ଧବଙ୍କ ସମାବେଶ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିବା ଦେଖିବାକୁ ମଳିଛି । ଚଳିତ ବର୍ଷ ୧୮ଟି ସାହିର ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇଥିବାବେଳେ ପ୍ରତ୍ୟେହ ରାତିରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ ଅଞ୍ଚଳକୁ ଉତ୍ସବ ମୁଖର କରିଥିଲା ।