ଡେରାବିଶରୁ ହବିଷ୍ୟାଳିଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କଲା କଲ୍ୟାଣ ଫାଉଣ୍ଡେସନ
ଡେରାବିଶ(ଏନ୍.ଏମ୍.): କାର୍ତ୍ତିକମାସରେ ହବିଷ୍ୟ କରିବା ହିନ୍ଦୁ ଧର୍ମର ଏକ ଅନନ୍ୟ ପରମ୍ପରା । ଏହାଦ୍ୱାରା ହବିଷ୍ୟାଳିମାନେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିବା ସହ ମୋକ୍ଷ କାମନା କରିଥାନ୍ତି । ତେବେ ଏଭଳି ପବିତ୍ର କାର୍ଯ୍ୟ ନିମନ୍ତେ ବହୁ ଲୋକ ବିଭିନ୍ନ ତୀର୍ଥସ୍ଥାନକୁ ଯାଇ ନିଜ ନିଜ ଆରାଧ୍ୟଙ୍କ ପୂଜାର୍ଚ୍ଚନା କରୁଥିବାବେଳେ ଗରିବ ଲୋକଟିଏ ଇଚ୍ଛା ଥିଲେ ମଧ୍ୟ ସେ ତୀର୍ଥକୁ ଯାଇ ପାରେ ନାହିଁ । ଦୁଇ ଓଳି ପେଟକୁ ଖାଇବା ଗଣ୍ଡାକ ଯୋଗାଡ଼ କରିବାକୁ ଅସମର୍ଥ ଥିବା ଲୋକଟି ତୀର୍ଥ କରିବା ତା’ ପାଇଁ ସାତ ସପନ ହୋଇପଡେ । ତେବେ ଏହି ସ୍ୱପ୍ନକୁ ସାକାର କରାଇବା ପାଇଁ ଅଣ୍ଟା ଭିଡିଛି କଟକର ଏକ ସ୍ୱେଚ୍ଛାସେବୀ ସଂଗଠନ କଲ୍ୟାଣ ଫାଉଣ୍ଡେସେନ । ଏହି ଅନୁଷ୍ଠାନର କର୍ମକର୍ତ୍ତାମାନେ ନିଜସ୍ୱ ଖର୍ଚ୍ଛରେ ହବିଷ୍ୟାଳିଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଥିବା ବେଳେ ରାସ୍ତାରେ ବିଭିନ୍ନ ଠାକୁର ତଥା ଦର୍ଶନୀୟସ୍ଥାନ ମଧ୍ୟ ପରିଦର୍ଶନ କରାଇ ପାରିଛି । ଏହି ଅନୁଷ୍ଠାନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବିଭିନ୍ନ ଗ୍ରାମ ଓ କଟକ ଅଞ୍ଚଳର ପ୍ରାୟ ୫୦ ଜଣ ହବିଷ୍ୟାଳିମାନଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଛି । ତେବେ ଯାତ୍ରୀମାନଙ୍କୁ ଯିବା ବାଟରେ ମା’ ଦକ୍ଷିଣକାଳୀ, ଦର୍ଶନ ଓ ଶ୍ରୀ ଜୀଉମାନଙ୍କ ଦର୍ଶନ କରାଇ ଶ୍ରୀ ମନ୍ଦିରରେ ମହାପ୍ରସାଦ ଭୋଜନର ବ୍ୟବସ୍ଥା ମଧ୍ୟ କରାଇଥିଲେ । ଅନୁଷ୍ଠାନର ଏଭଳି ମହନୀୟ କାର୍ଯ୍ୟକୁ ହବିଷ୍ୟାଳିମାନଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀମାନେ ମଧ୍ୟ ଉଚ୍ଚ ପ୍ରଂଶସା କରିଥିଲେ । ତେବେ ଆଗାମୀ ଦିନରେ କଲ୍ୟାଣ ଫାଉଣ୍ଡେସନ ବିଭିନ୍ନ ଲୋକହିତ କାର୍ଯ୍ୟରେ ନିୟୋଜିତ ରହିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।