ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସିଏମସି ମେୟରଙ୍କ ସମୀକ୍ଷା ବୈଠକ

କଟକ(ଏନ୍.ଏମ୍.): କଟକ ସହରରେ ପୂର୍ବରୁ ବହୁ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ କିଛି ବ୍ୟକ୍ତି ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ କଟକ ସହରକୁ ଡେଙ୍ଗୁ ମୁକ୍ତ ରଖିବା ପାଇଁ ସିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ମେୟରଙ୍କ ଅଭିଜ୍ଞତାରୁ ଏବେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ପ୍ରାଣଘାତୀ ସଂକ୍ରାମକ ରୋଗ ବ୍ୟାପିବାର ସମୟ ଆସିଛି । ତେଣୁ ଏହା ପୂର୍ବରୁ ଯଦି ପଦକ୍ଷେପ ନିଆନଯାଏ ତେବେ ବିଗତ ଦିନ ଭଳି କଟକ ସହରରେ ସଂକ୍ରାମଣ ରୋଗ କାୟାବିସ୍ତାର କରିବ । ଏହା ପୂର୍ବରୁ ସିଏମସିର ବିଭାଗୀୟ ଅଧିକାରୀ ଓ କର୍ମଚାରୀଭାବେ କିଭଳି ଏହି ସଂକ୍ରାମକ ରୋଗକୁ ନିରାକରଣ କରି ପାରିବେ ସେ ନେଇ ମେୟର ଏକ ଜରୁରୀ ବୈଠକ ଡାକିଥିଲେ ।
ରାଜ୍ୟରେ ସମ୍ପ୍ରତି ୨୨୨ଜଣ ବ୍ୟକ୍ତି ଡେଙ୍ଗୁ ଆକ୍ରାନ୍ତ ହୋଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଓ ଖୋର୍ଦ୍ଧାଜିଲ୍ଲାରୁ ଶତାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କଟକ ଜିଲ୍ଲାରେ ଏ ପର୍ଯ୍ୟନ୍ତ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ଆଗୁଆ ପଦକ୍ଷେପ ନେବା ଉଚିତ ବୋଲି ମେୟର ସୁବାସ ସିଂହ କହିଛନ୍ତି । ଏହି ପରିପ୍ରେକ୍ଷରରେ ସିଏମସି ସମ୍ମିଳନୀ କକ୍ଷରେ ଆୟୋଜିତ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ସମ୍ପର୍କୀତ ସମୀକ୍ଷା ବୈଠକରେ ମେୟର ଅଧ୍ୟକ୍ଷତା କରି କଟକ ସହରକୁ କିଭଳି ବର୍ଷାଦିନିଆ ସଂକ୍ରମଣକୁ ରୋକାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ସହରରେ ଘରକୁ ଘର ସର୍ଭେ କରାଯାଇ ଲକ୍ଷଣଯୁକ୍ତ ଲୋକଙ୍କୁ ଠାବ କରିବା ସହ ବ୍ୟାପକ ସଚେତତା କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ସେହିଭଳି ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚଳିତବର୍ଷ ସଂକ୍ରାମକ ରୋଗ ନିରାକରଣ ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ କମିଶନର ଅନାମ ପାତ୍ରଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଆଶା କର୍ମୀମାନେ ଘରୁକୁ ଘର କିଭଳି ସର୍ଭେ କରିବେ ସେ ସଂକ୍ରାନ୍ତରେ ସଚେତନତା ବୈଠକ କରାଯାଇ ତାଲିମ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାଛଡ଼ା ପ୍ରତିମାସରେ ୪ଟି ରବିବାର ଡ୍ରାଏ ଡେ ଭାବେ ପାଳନ କରାଯିବ । ଏହି ଦିନରେ ଅଦରକାରୀ ଟାୟାର, ଛାତ ତଥା ଘର ଆଖପାଖ ସ୍ଥାନରେ ପାଣି ଜମିବାକୁ ନଦେବା ଓ ବ୍ୟାପକ ସଫେଇ ପାଇଁ ପଦକ୍ଷେପ ନିଆଯିବ । ସେହିଭଳି କଟକ ସହରରେ ୧୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆହୁରି ଉନ୍ନତିକରଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରାଯାଇଥିଲା । ଚଳିତବର୍ଷ ସିଏମସି ପକ୍ଷରୁ ୫୯ଟି ୱାର୍ଡରେ ସର୍ଭେ କରିବା ନିମନ୍ତେ ୨୫୦ଜଣ ସହରାଞ୍ଚଳ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି । ସହରବାସୀଙ୍କୁ ଡେଙ୍ଗୁ ସଂକ୍ରାନ୍ତରେ ସଚେତନ କରିବାକୁ ୨ଟି ପବ୍ଲିକ ହେଲଥ ଟିମକୁ ଦାୟିତ୍ୱ ଦିଆଯାଇଛି । ବୈଠକରେ ଯୁଗ୍ମ ଆୟୁକ୍ତ ସୁମିତା ସରକାର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ରଙ୍କ ସମେତ ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଉପସ୍ଥିତ ଥିଲେ ।