ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କଲେ ଯୁବତୀ

#କଟକ(ଏନ୍.ଏମ୍.): ଜଣେ ଯୁବତୀ ତାଙ୍କ ତଥାକଥିତ ପ୍ରେମିକଙ୍କ ଦ୍ୱରା ବ୍ଲାକ ମେଲିଂର ଶିକାର ହୋଇ ଶେଷରେ ନ୍ୟାୟ ପାଇବା ଲାଗି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ପୁଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବତୀ । ତେବେ ଠିକଣା ସମୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ତଥା ପ୍ରତାରକ ପ୍ରେମିକ ସରୋଜ ରଥଙ୍କ ନାଁରେ ବ୍ଲାକ ମେଲିଂ ଭଳି ଜଘନ୍ୟ ଅଭିଯୋଗ ଆଣି ଯୁବତୀ ଜଣକ ନିଜ ଦେହରେ କିରାସିନି ଢାଳି ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ । ସାମ୍ବାଦିକ ତାଙ୍କର ଅଶ୍ଲୀଳ ଭିଡିଓ ଓ ଫଟୋ ଭାଇରାଲ କରିଦେବେ କହି ବ୍ଲାକମେଲ୍ିଂ କରୁଥିଲେ ବୋଲି କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥ ଯୁବତୀଙ୍କ ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୀର୍ଘ ୭ ବର୍ଷ ହେବ ସମ୍ପର୍କ ରଖିଥିଲେ । ମାତ୍ର ପରେ ସରୋଜ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ତାଙ୍କ ଠାରୁ ନିଜକୁ ଦୂରେଇ ରଖିଲେ । ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ । ମାତ୍ର ଯୁବତୀଙ୍କ ସହ ଏକାନ୍ତରେ ମିଶିବା ମଜାକୁ ସରୋଜ ସହଜରେ ହାତଛଡ଼ା କରିବାକୁ ଚାହୁଁନଥିଲେ । ତେଣୁ ଜେନତେନ ପ୍ରକାର ତାଙ୍କୁ ନିଜ ଅକ୍ତିଆରରେ ରଖିବା ପାଇଁ ତାଙ୍କୁ ବ୍ଲାକ ମେଲିଂ କରିବା ଆରମ୍ଭ କରିଦେଇଥିଲେ । ସରୋଜ ପାଖରେ ଥିବା ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ କରି ଦେବାକୁ ବାରମ୍ବାର ଧମକ ଦେଇଥିଲେ । ବାଧ୍ୟହୋଇ ଯୁବତୀ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ । ହେଲେ ପୁଲିସ ଯୁବତୀଙ୍କ ଅଭିଯୋଗକୁ ରେଜିଷ୍ଟର କରି ନଥିଲା । ଓଲଟା ତାଙ୍କୁ ଥାନାରେ ବିଭିନ୍ନ ପ୍ରକାର ଦୁର୍ବ୍ୟବହାର କରାଯିବା ସହ ମାଡ଼ ମରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଯୁବତୀ ଜଣକ ଡିଜିପିଙ୍କୁ ଭେଟି ଏନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ତ୍ୱରିତ ନ୍ୟାୟ ନମିଳିବାରୁ ଶେଷରେ ସମ୍ପୃକ୍ତ ଯୁବତୀ ଜଣକ ଏଭଳି ଚରମ ନିଷ୍ପତି ନେଇ ଡିଜିପି ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଥିବା ପୁଲିସ ଅଧିକାରୀମାନେ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ବେଳେ ମୋତେ କେହି ନ୍ୟାୟ ଦେଲେ ନାହିଁ, ମୁଁ ମରିଯିବାକୁ ଚାହେଁ ମୋତେ ଛାଡ଼ିଦିଅ ବୋଲି ଚିତ୍କାର କରିଥିଲେ । ତେବେ ତାଙ୍କର ଏହି ଆତ୍ମହୂତି ଉଦ୍ୟମରେ ତାଙ୍କର ସେଭଳି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି । ଅପରପକ୍ଷେ ଅଭିଯୁକ୍ତ ତଥା ପ୍ରତାରକ ପ୍ରେମିକ ସରୋଜ ଦୀର୍ଘ ଦିନ ଧରି ଫେରାର ଥିôବା ଜଣାପଡ଼ିଛି ।