ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ
ଦେବଗଡ(ଏନ୍.ଏମ୍.): ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକା ଟ୍ୟୁସନ୍ରୁ ଫେରିଲା ବେଳେ ଦୁଇ ଜଣ ଦୁର୍ବୁତ୍ତ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ରିଆମାଳ ଥାନା ଅର୍ନ୍ତଗତ ଛତାବର ଗ୍ରାମରେ । ଏହି ଘଟଣାରେ ସମ୍ପୃକ୍ତ ଥିବା କଙ୍କରଖୋଲ ଗାଁର ଶୁଭମ ବାଦୀ ଓ ଚିନ୍ମୟ ରଞ୍ଜନ ବାଦୀଙ୍କୁ ପୁଲିସ ଗିରଫ କରିଛି ।
ସୂଚନା ଅନୁସାରେ, ନାବାଳିକା ଜଣକ ତାଙ୍କ ବଡ଼ ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ । ସେ ପ୍ରତେକ ଦିନ ସନ୍ଧ୍ୟା ସମୟରେ ଟ୍ୟୁସନ୍ ସାରି ଛତାବରରୁ ସାଇକେଲ ଯୋଗେ ଘରକୁ ଫେରିଥାନ୍ତି । ସବୁଦିନ ପରି ୨୩ତାରିଖରେ ମଧ୍ୟ ଛାତ୍ରୀ ଜଣଙ୍କ ସନ୍ଧ୍ୟା ୭ଘଟିକା ସମୟରେ ଛତାବରରୁ ଟ୍ୟୁସନ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ । ହେଲେ ଫେରିବା ବାଟରେ ଜଗି ରହିଥିବା ଯୌନ ପିପାସୁ ଶୁଭମ ଓ ଚିନ୍ମୟ ନାବାଳିକାଙ୍କୁ କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ଘରେ ଜଣାଇବା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ରିଆମାଳ ଥାନାରେ ଅଭିଯୋଗ କରାଯାଇଥିଲା । ରିଆମାଳ ପୁଲିସ ଗତକାଲି ରାତିରେ ଅଭିଯୁକ୍ତ ଶୁଭମ ଓ ଚିନ୍ମୟଙ୍କୁ ଗିରଫ କରିଥିଲା । ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ବୋଲି ଜଣାପଡିଛି ।