ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା
ପୁଣି ରିମାଣ୍ଡରେ ଆସିପାରନ୍ତି ୫ ଅଭିଯୁକ୍ତ
ସଚିନ ଦେଇଛନ୍ତି କ୍ଷେପଣାସ୍ତ୍ର ସମ୍ପର୍କରେ ତଥ୍ୟ
କଟକ (ଏନ୍.ଏମ୍.): ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ୭ ଦିନ ଧରି ମାରଥାନ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ୱପୂଣ୍ଣ ତଥ୍ୟ ଲାଗିଥିବା କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜିବ ପଣ୍ଡା ସୂଚନା ଦେଇ କହିଛନ୍ତି । ୭ ଦିନିଆ ରିମାଣ୍ଡ ଶେଷ ହେବା ପରେ ୫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ରିମାଣ୍ଡ ବେଳେ ମିଳିଥିବା ବିଭିନ୍ନ ତଥ୍ୟକୁ ଅଧିକ ତର୍ଜମା କରିବା ପରେ ଆବଶ୍ୟକ ପଡ଼ିଲେ ପୁଣି ଥରେ ରିମାଣ୍ଡରେ ଆଣଯିବ ବୋଲି କୁହାଯାଇଛି । ରହସ୍ୟମୟୀ ମହିଳା ଜଣକ ବିଭିନ୍ନ ସୋସିଆଲ ମିଡ଼ିଆ ଯଥା ଫେସବୁକ, ଇଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ମାଧ୍ୟମରେ ଚାଟ କରିବା ସହ ଅଭିଯୁକ୍ତମାନଙ୍କ ସହିତ କଥା ହେଉଥିଲେ । ଏପରିକି ଭିଡ଼ିଓ କଲ ମଧ୍ୟ କରୁଥିଲେ । ଉକ୍ତ ମହିଳା ଜଣଙ୍କ ଅଭିଯୁକ୍ତମାନଙ୍କ ସହିତ ହିନ୍ଦିରେ କଥାବାର୍ତ୍ତା କରୁଥିଲେ । ଫେସବୁକରେ ବିଭିନ୍ନ ନାଁରେ ପ୍ରାୟ ୭ଟି ଆକାଉଣ୍ଟ ଖୋଲି ଅଭିଯୁକ୍ତଙ୍କମାନଙ୍କୁ ଯୋଗାଯୋଗ କରୁଥିଲେ । ଏପରିକି ସମସ୍ତ ଆକାଉଣ୍ଟରେ ଭିନ୍ନ ଫଟୋ ଓ ପରିଚୟ ଦେଇଥିଲେ ଉକ୍ତ ମହିଳା । ଯାହାର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ସେହିପରି ଦୁଇଜଣ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଚାନ୍ଦିପୁରସ୍ଥିତ ଘରକୁ ଆସିବାକୁ ମଧ୍ୟ କହିଥିଲେ । ଏହାବାଦ୍ ଦୁବାଇ ବ୍ୟାଙ୍କ ଆକାଉଣ୍ଟରୁ ଅଭିଯୁକ୍ତକୁ ଯେଉଁ ଟଙ୍କା ଆସିଥିଲା ସେନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତମାନେ ଆଉ କେଉଁ ମାଧ୍ୟମରେ ଟଙ୍କା ପାଇଛନ୍ତି ସେନେଇ ତଦନ୍ତ ଜାରି ରହିଛି । ମହିଳା ଜଣଙ୍କ ୟୁକେ ନମ୍ବର ଜଣିବା ପାଇଁ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହାବାଦ ମହିଳାଙ୍କ ପ୍ରକୃତ ପରିଚୟ କଣ ଏବଂ ସେ କେଉଁଠି ଅବସ୍ଥାନ କରୁଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି ଶ୍ରୀ ପଣ୍ଡା ବୋଲି କହିଛନ୍ତି । ଅନ୍ୟପଟେ ରହସ୍ୟମୟୀ ମହିଳାଙ୍କୁ କ୍ଷେପଣାସ୍ତ୍ର ସମ୍ପର୍କରେ ଅନେକ କିଛି ସୂଚନା ଦିଆଯାଇଥିବା ଜଣାପଡ଼ିଛି । ଚାନ୍ଦିପୁର ଆଇଟିଆଇର ନିର୍ଦ୍ଦେଶକଙ୍କ ଗାଡ଼ି ଡ୍ରାଇଭର ସଚିନ ଛତ୍ତ୍ରା ଏହି ସୂଚନା ଦେଇଛି ବୋଲି ସନ୍ଦେହ କରାଯାଉଛି । ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ବେଳେ ଏପରି କିଛି ସୂଚନା ପାଇଛି କ୍ରାଇମବ୍ରାଞ୍ଚ । ଡ୍ରାଇଭର ସଚିନ ଆଇଟିଆଇର ନିର୍ଦ୍ଦେଶକଙ୍କୁ ନେବା ଆଣିବା କରୁଥିଲା । ତେଣୁ ନିର୍ଦ୍ଦେଶକ ଫୋନରେ କଥା ହେବା ବେଳେ କିମ୍ବା କାହା ସହିତ ଆଲୋଚନା କରିବା ବେଳର ତଥ୍ୟ ସଚିନ ଦେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମିଳିବା ପରେ କ୍ରାଇମବ୍ରାଞ୍ଚ ପୁଣିଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ । ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଯାଇଛି । ରିମାଣ୍ଡ ସମୟ ଶେଷ ପରେ କ୍ରାଇମବ୍ରାଞ୍ଚ ବାଲେଶ୍ୱର କୋର୍ଟରେ ହାଜର କରାଇଥିଲା । ଏହାପରେ ଅଭିଯୁକ୍ତମାନଙ୍କୁ ବାଲେଶ୍ୱର ଜେଲକୁ ପଠାଇ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟରେ ୨ଟି କିସ୍ତିରେ ୩୮ ଟଙ୍କା କାରବାର ହେବା ଓ ରହସ୍ୟମୟୀ ମହିଳାଙ୍କ ସହ ଚାଟ ବେଳେ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ଦେଇଥିବା କଥା ସାମ୍ନାକୁ ଆସିଥିଲା ।