ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା
#ଭୁବନେଶ୍ୱର(ଏନ୍.ଏମ୍.): ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ-ଭୁବନେଶ୍ୱର ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହି ଅବସରରେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ କରାଯିବ, ସେଥିନିମନ୍ତେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବୁ । ଏଥିସହ ୫ଟି ଓ ମୋ’ ସରକାରର ସମସ୍ତ ନିୟମ ଅନୁପାଳନ କରିବୁ । ଏହାଦ୍ୱାରା ପୁଲିସ୍ ସାଧାରଣ ଲୋକଙ୍କ ନିକଟତର ହେବା ସହ ଅଧିକ ସେବା ଯୋଗାଇ ଦେଇ ପାରିବ । ୧୯୯୪ ବ୍ୟାଚର ଓଡ଼ିଆ ଆଇପିଏସ୍ ଅଧିକାରୀ ହେଉଛନ୍ତି ସଞ୍ଜୀବ ପଣ୍ଡା । ପୁଲିସ କମିଶନର ଦାୟିତ୍ୱ ନେବା ପୂର୍ବରୁ ସେ ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମଡି ଦାୟିତ୍ୱରେ ଥିଲେ । ପୂର୍ବରୁ ସେ ପୁରୀ ଆରକ୍ଷୀ ଅଧୀକ୍ଷକ, ଆଇଜି ପର୍ସନାଲ, ଆଇଜି ଓଏସ୍ଏପି, ଏଡିଜି କ୍ରାଇମବ୍ରାଞ୍ଚ, ପରିବହନ କମିଶନର ଆଦି ବିଭିନ୍ନ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ଦାୟିତ୍ୱ ନେବା ପରେ ସହରାଞ୍ଚଳ ପୁଲିସ (କମିଶନରେଟ ପୁଲିସ) ଆହୁରି ଲୋକପ୍ରିୟ ହେବା ସହ ଭଲ ସେବା ଯୋଗାଇବାରେ ସଫଳ ହେବ ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି ।