ଟିକେଟ ସରିଯିବାରୁ ସୂର୍ଯ୍ୟମନ୍ଦିରରେ ଠେଲାପେଲା : ଟିକେଟ କାଉଣ୍ଟର ଓ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାରରେ ତାଲା ପକାଇ ଏଏସଆଇ କର୍ମଚାରୀ ଛୁ !

କୋଣାର୍କ(ଏନ୍.ଏମ୍.): ପର୍ଯ୍ୟଟନ ଋତୁରେ ବିଶ୍ୱ ଐତିହ୍ୟ ସ୍ଥଳି କୋଣାର୍କରେ ପ୍ରତେହ ଲିଗିରହିଛି ପର୍ଯ୍ୟଟକଙ୍କ ଭିଡ । ସୂର୍ଯ୍ୟମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ଫଳରେ ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ପ୍ରତେକ ଦିନ ପାଇଁ ନିର୍ଦ୍ଧାରିତ ଟିକଟ ବା ଟୋକନ ସରିଯିବାରୁ ଟିକେଟ କାଉଣ୍ଟର ଓ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଏଏସଆଇ କର୍ମଚାରୀମାନେ ଛୁ ମାରିଥିଲେ । ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ଟିକେଟ ନମିଳିବାରୁ ପର୍ଯ୍ୟଟକମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା । ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଦାୟିତ୍ୱରେ ଥିବା ଏଏସଆଇର ଦାୟିତହୀନତା ଯୋଗୁଁ ଏଭଳି ସମସ୍ୟ ଉପୁଜିଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି । ପର୍ଯ୍ୟଟନ ଋତୁରେ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ଲାଗିରହିଥିବାବେଳେ ଏହି ସମସ୍ୟା ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି । ଆଜି ରବିବାର ଛୁଟି ଦିନ ଥିବାରୁ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ରହିଥିଲା । ସୂର୍ଯ୍ୟମନ୍ଦିରରେ ଟିକେଟ ନମିଳିବାରୁ ଦୁରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପ୍ରବେଶ ନକରିପାରି ଅନେକ ନିରାଶରେ ଫେରିଥିବା ଦେଖିବାକୁ ମିଳିଥିଲା । ଟିକେଟ କାଉଣ୍ଟର ସମୁଖରେ ଘଣ୍ଟା ଘଣ୍ଟା ଧରି ଟିକେଟ ପାଇଁ ପର୍ଯ୍ୟଟକମାନେ ଅପେକ୍ଷା କରି ରହିଥିଲେ ମଧ୍ୟ ଟିକଟ ମିଳି ନଥିଲା । ପର୍ଯ୍ୟଟକମାନେ ଅନ ଲାଇନ ଟିକେଟ କରିଥିଲେ ମଧ୍ୟ ମୁଖ୍ୟ ଦ୍ୱାର ବନ୍ଦ ହୋଇଯିବାରୁ ଅଧିକାଂଶ ପର୍ଯ୍ୟଟକ ନିରାଶ ମନରେ ଫେରିଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା । ଫଳରେ ମୁଖ୍ୟଦ୍ୱାରରେ ପର୍ଯ୍ୟଟକମାନେ ହୋହାଲ୍ଲା କରି ଠେଲାପେଲା କରିଥିଲେ । ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ୱାର ଓ ପ୍ରବେଶ ପଥ ବନ୍ଦ କରିଦେବାକୁ ନେଇ କେତେକ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଥିଲେ । ପର୍ଯ୍ୟଟଙ୍କ ସଂଖ୍ୟା ବଢ଼ିବାରୁ ମୁଖ୍ୟ ପ୍ରବେଶ ପଥ ଖୋଲାଯାଇଥିଲା । ପୁଲିସ ହସ୍ତକ୍ଷେପ ପରେ ଅପରାହ୍ନରେ ପର୍ଯ୍ୟଟକମାନେ ନିଶୁଳ୍କ ସୂର୍ଯ୍ୟ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । କୋଣାର୍କ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ବୁଝାସୁଝା କରିଥିଲେ । ପର୍ଯ୍ୟଟନ ଋତୁରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରୁ ଏଏସଆଇ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟୋକନ ନଥିବା ଜଣାପଡିଛି । ଅନ୍ୟପକ୍ଷରେ ସର୍ଭର ଡାଉନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କର୍ମଚାରୀ କହିଛନ୍ତି । ଏସଏଆଇର ଅପାରଗତା ଓ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ପ୍ରତିବର୍ଷ ଏହି ପର୍ଯ୍ୟଟନ ଋତୁରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।