ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୪୦:୩୦:୩୦ ଫର୍ମୁଲାରେ ହେବ ମୂଲ୍ୟାୟନ
ନୂଆଦିଲ୍ଲୀ (ଏଜେନ୍ସି): ମହାମାରୀ କରୋନା ଯୋଗୁ ବାତିଲ ହୋଇଥିବା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଏ ନେଇ ଆଜି ସିବିଏସ୍ଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ସୂଚନା ଦିଆଯାଇଛି । ତେବେ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପ୍ରଦର୍ଶନକୁ ଦେଖି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଦ୍ଧାରଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି । ଆଜି ସିବିଏସ୍ଇ ପକ୍ଷରୁ ନ୍ୟାୟମୂର୍ତ୍ତି ଏମ.ଏ. ଖାନୱିଲକର ଓ ନ୍ୟାୟମୂର୍ତ୍ତି ଦୀନେଶ ମାହେଶ୍ୱରଙ୍କ ଖଣ୍ଡପୀଠକୁ କୁହାଯାଇଛି ଯେ, ୪୦: ୩୦: ୩୦ ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିଆଯିବ । ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷାର ୪୦ପ୍ରତିଶତ ମାର୍କ, ଏକାଦଶର ୩୦ ପ୍ରତିଶତ ମାର୍କ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ମାର୍କକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଘୋଷଣା କରାଯିବ । ଦଶମ ଶ୍ରେଣୀର ମୋଟ ୫ଟି ବିଷୟରୁ ଶ୍ରେଷ୍ଠ ୩ଟି ବିଷୟର ମାର୍କ ବିଚାରକୁ ନିଆଯିବ । ସେହିଭଳି ଏକାଦଶ ଶ୍ରେଣୀର ଅତିକମରେ ୫ଟି ବିଷୟର ଟର୍ମ ପରୀକ୍ଷା, ୟୁନିଟ ଟେଷ୍ଟ ଓ ମୋଟ ରେଜଲ୍ଟକୁ ବିଚାରକୁ ନିଆଯାଇ ହାରାହାରି ମାର୍କର ବିଚାର କରାଯିବା ସହ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରି-ବୋର୍ଡ ଆଧାରରେ ମାର୍କ ଦିଆଯିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।