କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ତଥା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି ସହ ପଦକ୍ଷେପ ସ୍ୱରୂପ ଆଜି ସାଂସଦ ଭତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମୋଡ଼ରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ରଣନୀତି ଅବଲମ୍ବନ କରିବା ସହ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଭର୍ଚ୍ଚୁଆଲ ବୈଠକରେ ଆଲୋଚନା ମାଧ୍ୟମରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ସାଂସଦଙ୍କ ନିଦେ୍ର୍ଦଶରେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀଙ୍କ ଅନୁରୋଧ କ୍ରମେ ଏହି ବୈଠକରେ ସାଂସଦ ଶ୍ରୀ ମହତାବଙ୍କ ଉପସ୍ଥିତରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ହୋଇଥିଲେ ।
ଏହି ବୈଠକରେ ଜିଲ୍ଳାର କରୋନାସ୍ଥିତି ସମ୍ପର୍କରେ ସାଂସଦ ଶ୍ରୀ ମହତାବ ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ଗତକାଲି ବୈଠକରେ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଘୋଷଣା କରିଥିବା କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ଆଲୋଚନା ହୋଇଥିଲା । ବିଶେଷ କରି ଗ୍ରାମାଞ୍ଚଳରେ ସଂକ୍ରମଣ ହ୍ରାସ ନିମନ୍ତେ ଜନସଚେତନତା, ଆଶାକର୍ମୀଙ୍କ ଦ୍ୱାରା ଘରକୁ ଘର ସର୍ଭେ, ଟେଷ୍ଟ ସଂଖ୍ୟା ବୃଦ୍ଧି ଆଦିର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଜିଲ୍ଲାରେ କୋଭିଡ ଟିକାକରଣକୁ କିଭଳି ବ୍ୟାପକ କରାଯାଇପାରିବ, ଟିକାକେନ୍ଦ୍ରମାନଙ୍କ ଠାରୁ ଦୂରତା ରକ୍ଷା କରି ପଞ୍ଜିକରଣ, କରୋନା ରୋଗୀ ଚିହ୍ନଟ ସହ ନମୁନା ସଂଗ୍ରହ, ଘରୋଇ ଆଇସୋଲେସନ ବ୍ୟବସ୍ଥା, କୋଭିଡ କେୟାର କେନ୍ଦ୍ରରେ ରୋଗୀ ଚିକିତ୍ସା, ଅମ୍ଳଜାନ ଯୋଗାଣ ତଥା ଶବସତକାର ପରିଚାଳନା ଆଦି ପ୍ରସଙ୍ଗରେ ଏହି ସମୀକ୍ଷା କରାଯାଇଥିଲା । ସାଂସଦ ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳଙ୍କ ଠାରୁ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପାୱାର ପଏଣ୍ଟ ଜରିଆରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଥିଲା । ସମ୍ପ୍ରତି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠାର ଅଗ୍ରଗତି ଏବଂ ଏସ ସି ବିରେ ନୂତନ ପ୍ଲାଣ୍ଟ ପ୍ରତିଷ୍ଠା, ଟିକାକରଣ ପାଇଁ କ୍ୟାମ୍ପ, ଆଇସିୟୁ ଶଯ୍ୟା ବୃଦ୍ଧି, ଅଧଘଣ୍ଟା ମଧ୍ୟରେ ଶବ ବ୍ୟବଛେଦ ତଥା ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ସୂଚନା ଦେଇଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟସଭା ସାଂସଦ ସୁବାଷ ସିଂ, ସାଂସଦ ଅନୁଭବ ମହାନ୍ତି ବିଧାୟକ ଡାକ୍ତର ପ୍ରମୋଦ ମଲିକ, ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟକ ମହମ୍ମଦ ମୋକିମ, ବିଧାୟକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଏହି ଭର୍ଚ୍ଚୁଆଲ ବୈଠକରେ ସାମିଲ ହୋଇ ନିଜ ନିଜ ଅଞ୍ଚଳରେ ଟିକାକରଣ ଓ ଏହା ନିମନ୍ତେ ପଞ୍ଜିକରଣ, ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା, ଟେଷ୍ଟିଙ୍ଗ, ଆଇସିୟୁ ଓ କୋଭିଡ କେୟାର କେନ୍ଦ୍ର ମାନଙ୍କରେ ଶଯ୍ୟା ବୃଦ୍ଧି, ଅମ୍ଳଜାନ ବ୍ୟବସ୍ଥା, ୨୪ଘଣ୍ଟିଆ ହେଲ୍ପଡେସ୍କ ଗଠନ ଆଦି କୋଭିଡ ପରିଚାଳନା ନିମନ୍ତେ ନିଆଯିବା ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସାଂସଦଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ଏହି ବୈଠକରେ ସିଏମସି କମିଶନର ଅନନ୍ୟା ଦାସ, ମୁଖ୍ୟ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, କଟକ ଏସପି ବି. ଯୁଗଳ କିଶୋର, ପିଡି ଡିଆରଡିଏ ଅମ୍ବର କୁମାର କରଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ ।