ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ
ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ : ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ସେଚ ସଦନ ଠାରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ଥିବା ନଦୀ ଓ ଜଳଭଣ୍ଡାରର ଜଳସ୍ତର ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟରେ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଆଦି ନଦୀରେ ଜଳ ପ୍ରବାହ ସହ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ସ୍ଥିତି ଓ ଜଳସମ୍ପଦ ବିଭାଗ ତରଫରୁ ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ସାହୁ ସ୍ଥିତି ଅନୁଧ୍ୟାନ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରଥମେ ସେଚ ସଦନରେ ବନ୍ୟା ନିୟନ୍ତ୍ରଣ କକ୍ଷ ବୁଲି ଦେଖିବା ସହ ବନ୍ୟା ପରିଚାଳନା ସମ୍ପର୍କିତ ସୂଚନା ସରବରାହ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପରେ ପରେ ସେଚ ସଦନ ସମ୍ମିଳନୀ କକ୍ଷରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଯୋଗ ଦେଇଥିବା କଟକ, ବାଲେଶ୍ୱର, କେଉଁଝର ଓ ମୟୁରଭଞ୍ଜ ଜିଲ୍ଲା ଆଦିର ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ପୁନଶ୍ଚ ମନ୍ତ୍ରୀ ଗତକାଲି ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ନେଇ ଆଭାସୀ ବୈଠକରେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆଜିର ବୈଠକ ସମୟ ମଧ୍ୟାହ୍ନ ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ଜଳ ପ୍ରବାହ ସ୍ଥିର ରହିଥିଲାବେଳେ ମଧ୍ୟାହ୍ନ ପରଠାରୁ ଜଳ ପ୍ରବାହ ସ୍ତର ଧିରେ ଧିରେ କମୁଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଅସ୍ଥାୟୀ ଭାବେ ବନ୍ଦ କରାଯାଉଛି । ମହାନଦୀ ଅବବାହିକାରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଗୁଡିକୁ ପାଣି ଛାଡ଼ିବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ମରାମତି କରି ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ହୀରାକୁଦରୁ ୪ଟି ଗେଟ ଦେଇ ଜଳ ଛଡ଼ାଯାଉଥିବାବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଙ୍ଗାଲି ଜଳ ଭଣ୍ଡାରରୁ ଆଜି ଗୋଟିଏ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ପକ୍ଷରେ ମହାନଦୀ ଅବବାହିକାକୁ ନେଇ ଆଉ ବନ୍ୟା ସମସ୍ୟା ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା । ବୈଠକ ପରେ ଗଣମାଧ୍ୟକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଅନୁସାରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ଆମ ରାଜ୍ୟ ପ୍ରଶଂସା ସାଉଁଟିଛି । ଏହାକୁ ଗୁରୁତ୍ୱ ଦେଇ ଚଳିତ ବନ୍ୟାର ମୁକାବିଲା କରିବା ପାଇଁ ଜଳ ସମ୍ପଦ ବିଭାଗର ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ବନ୍ୟାକୁ ଦୃଷ୍ଟିରେ ରଖି ଗତ କାଲି ରାତ୍ରୀକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଥିଲା ଓ ଏହି ପ୍ରକ୍ରିୟା ଜାରି ରହିଛି । ବୈଠକରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ (୨) ତଥା ମହାନଦୀ-କାଠଯୋଡି ଅବବାହିକା ମ୍ୟାନେଜର ଇଂ. ଭକ୍ତରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।