ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ : ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ : ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ : ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ


#ନୂଆଦିଲ୍ଲୀ(ଏଜେନ୍ସି): ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ଘଟଣା ଘଟିଛି । ଗିରଫ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି । ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି । ତେବେ ଇଡି ରେଡ ଓ ସମ୍ଭାବ୍ୟ ଗିରଫଦାରୀ ଭୟରେ କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚି ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ । ଅଭିଷେକ ସିଙ୍ଘଭୀଙ୍କ ନେତୃତ୍ୱରେ ଗୋଟିଏ ଏହି ଟିମ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ; ହେଲେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣି ପାଇଁ ମନା କରି ଦେଇଛନ୍ତି । ମଧ୍ୟରାତ୍ର ଶୁଣାଣି ପାଇଁ କୋର୍ଟ ମନା କରି ସକାଳେ ଆସିବାକୁ କହିବା ପରେ ଇଡି ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ।
ଭାରତ ଇତିହାସରେ ପ୍ରଥମଥର ପାଇଁ କୌଣସି କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ ଇଡିର ମୁଖ୍ୟାଳୟକୁ ନିଆଯାଇଛି । ସେଠାରେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା । ସେହିପରି ଇଡି ଅଫିସ ବାହାରେ ୧୪୪ ଧାରା ଜାରି କରାଯାଇଥିଲା । ଆପର ନେତା ଓ କର୍ମୀମାନେ ଇଡି ଅଫିସ ଘେରାଉ କରିବାର ଆଶଙ୍କା ଥିବାରୁ ଦିଲ୍ଲୀ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କେଜ୍ରିୱାଲଙ୍କୁ ୯ଥର ସମନ କରିଥିଲେ ମଧ୍ୟ ସେ ଏହାକୁ ଖାତିର କରି ନଥିଲେ । ଇଡିର ସମନ ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିବା ସହ ଗିରଫଦାରୀରୁ ସୁରକ୍ଷା ପାଇଁ ନିବେଦନ କରିଥିଲେ । କିନ୍ତୁ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ସୁରକ୍ଷା ଦେଇ ନଥିଲେ । ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିବା କ୍ଷଣି ଇଡିର ୧୨ ଜଣିଆ ଟିମ ତାଙ୍କ ଘରେ ପହଞ୍ଚି ଯାଇଥିଲେ । ଇଡିର ଅଧିକାରୀମାନେ ତାଙ୍କ ଘର ସର୍ଚ୍ଚ କରୁଥିବା ବେଳେ ବୟାନ ମଧ୍ୟ ରେକର୍ଡ କରିଥିଲେ । ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା । ପ୍ରଥମେ କେଜ୍ରିୱାଲ ଓ ତାଙ୍କ ପରିବାର ଲୋକଙ୍କ ଫୋନକୁ ମଧ୍ୟ ଇଡି ଜବତ କରି ନିଆଯାଇଥିଲା । ଏହାପରେ ଦୁଇ ଘଣ୍ଟା କାଳ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ପ୍ରାୟ ୨ ଘଣ୍ଟାର ଜେରା ପରେ କେଜ୍ରିୱାଲଙ୍କୁ ଇଡି ବାନ୍ଧିଛି । ଇଡି ରେଡ କରୁଥିବା ବେଳେ କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚି ଜରୁରୀ ଶୁଣାଣି ପାଇଁ ମଧ୍ୟ ଆବେଦନ କରିଥିଲା । ହେଲେ ସୁପ୍ରିମକୋର୍ଟ ଆସନ୍ତାକାଲି ଆସିବାକୁ କହିଛନ୍ତି । ସେହିପରି ଇଡିର ରେଡ ବିରୋଧରେ ଆପର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀମାନେ ବିକ୍ଷୋଭ ଜାରି ରଖିଛନ୍ତି । କେବଳ ଦିଲ୍ଲୀ ନୁହେଁ, ବରଂ ପଞ୍ଜାବ ଓ ହରିଆଣାରେ ମଧ୍ୟ ବିକ୍ଷୋଭ ଆରମ୍ଭ ହୋଇ ଯାଇଛି । କେଜ୍ରିୱାଲଙ୍କ ବାସଭବନ ଆଗରେ ଆପ କର୍ମୀମାନେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍ ତାଙ୍କୁ ଉଠାଇ ନେଇଛି । ଏହାପୂର୍ବରୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଗିରଫ କରିଥିଲା । ସେହିପରି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଆପ୍ ସାଂସଦ ସଞ୍ଜୟ ସିଂହ ସମାନ ଘଟଣାରେ ଗିରଫ ହୋଇ ଜେଲରେ ରହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି