ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ
ଆଠଗଡ଼(ଏନ୍.ଏମ୍.): ବାତ୍ୟା ଆସିଲେ ପ୍ରଥମେ ଖୋଜା ପଡେ ବାତ୍ୟା ଆଶ୍ରୟସ୍ଥଳ । ସରକାର ହୁଅନ୍ତୁ ବା ଜନସାଧାରଣ ପ୍ରଥମେ ବାତ୍ୟା ଆଶ୍ରୟସ୍ଥଳକୁ ଖୋଜିଥାନ୍ତି । ବିଶେଷ କରି କଚ୍ଚା ଘରେ ବସବାସ କରୁଥିବା ଜନସାଧାରଣ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଥାନ୍ତି । ଘର ଛପର ଉଡ଼ିଯିବା ସହ ଜୀବନ ପ୍ରତି ମଧ୍ୟ ବିପଦ ଆଶଙ୍କା ଥାଏ । ଏଥି ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ସ୍ୱତନ୍ତ୍ର ଡିଜାଇନରେ ନିର୍ମାଣ ହୋଇଛି ବାତ୍ୟା ଆଶ୍ରୟସ୍ଥଳ । ହେଲେ ରକ୍ଷଣାବେକ୍ଷଣ ଅଭାବ ଓ ନିମ୍ନମାନର କାମ ଯୋଗୁଁ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ବାତ୍ୟା ସମୟରେ ସୁରକ୍ଷା ଖୋଜିଥିବା ଲୋକେ କିନ୍ତୁ ଏଠାରେ ଅସୁରକ୍ଷିତ ମନେ କରନ୍ତି । ତେଣୁ ଏହି ବାତ୍ୟା ଆଶ୍ରୟସ୍ଥଳର ଏଭଳି ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି । ଏଭଳି ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଳକ କୁଲାଇଲୋ ପଞ୍ଚାୟତ ଅଧିନ ପାଟଲିଙ୍ଗା ଗ୍ରାମରେ । ୧୯୯୯ ମହାବାତ୍ୟା ପରେ ରାଜ୍ୟରେ ବହୁ ବାତ୍ୟା ଆସିଛି, କିନ୍ତୁ ତାଳ ଛପର ଘରେ ରହୁ ଥିବା ପରିବାର ବାତ୍ୟା ଆଶ୍ରୟସ୍ଥଳିକୁ ଆଶ୍ରୟ ପାଇଁ ଧାଇଁ ଯାଆନ୍ତି । ସେହିଭଳି ଆଠଗଡ଼ ଅଞ୍ଚଳରେ ୧୯୯୯ ବାତ୍ୟା ପରେ ସରକାର ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲା । ଏବେ ସେହି ଆଶ୍ରୟସ୍ଥଳିଟି ରକ୍ଷାଣବେକ୍ଷଣର ଅଭାବ ଏବଂ ନିମ୍ନମାନର କାର୍ଯ୍ୟ ପାଇଁ କାନ୍ଥ ଏବଂ ପିଲର ଫାଟି ଆଁ କରିଛି, ତେଣୁ ଏଠାକୁ ଲୋକେ ଆସିବାକୁ ଭୟ ଲାଗୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।