ଜଗତସିଂହପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଯୋଗଦେଲେ ୧୦୦ କ୍ରିଡାବିତ୍
ଜଗତସିଂହପୁର (ଏନ୍.ଏମ୍.): ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ପାରୁଲ୍ ପଟୱାରିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ପ୍ରତିଭା ଚୟନ କାର୍ଯ୍ୟକ୍ରମକୁ ଉଦଘାଟନ କରି ଜିଲ୍ଲାପାଳ କହିଲେ ଯେ, ବିଭିନ୍ନ ବ୍ଲକରୁ ୧୦ରୁ ୧୫ବର୍ଷର ଛାତ୍ର ଛାତ୍ରୀମାନେ ଚୟନ ପ୍ରକିୟାରେ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶା ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ହକି ୱାଲ୍ଡକପ୍ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାର ଭଲ ଭଲ କ୍ରିଡାବିତ୍ମାନେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଚୟନ ପ୍ରତିଯୋଗିତାରେ ଯେଉଁ ପିଲା ଭଲ ପ୍ରଦର୍ଶନ କରିବେ ସେମାନେ ରାଜ୍ୟସ୍ତରକୁ ଉତୀର୍ଣ୍ଣ ହେବେ । ୩୦ଟି ଜିଲ୍ଲାରେ ଏହି ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ରାଜ୍ୟସ୍ତରରେ ପ୍ରତିଭା ଚୟନ କରାଯାଇ ବିଭିନ୍ନ କ୍ରୀଡ଼ା ପାଇଁ କୋଚିଂ ପ୍ରଦାନ କରାଯିବ ଏବଂ ଜାତୀୟସ୍ତରକୁ ମନୋନୟନ ହେବ । ଜିଲ୍ଲା ପ୍ରଶାସନପକ୍ଷରୁ ପିଲାମାନଙ୍କ ପାଇଁ ପାନୀୟଜଳ, ଗ୍ଲୁକୋଜ, ଓ.ଆର.ଏସ୍ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରୁଦ୍ରନାରାୟଣ ଦାଶ ଯୋଗଦେଇ କହିଲେ ବିଭିନ୍ନ ବ୍ଲକ୍ ଓ ମ୍ୟୁନିସିପାଲିଟିରୁ ୧୦୦ କ୍ରୀଡାବିତ୍ ପ୍ରତିଭା ଚୟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ସଟଲରନ୍, ଷ୍ଟାଣ୍ଡିଂ ଫ୍ଲାଇଙ୍ଗ୍, ଷ୍ଟାର୍ଟ, କ୍ରିକେଟ ବଲ୍ ଥ୍ରୋ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ସଂସଦ, ସମ୍ପାଦକ ଦୋଳଗୋବିନ୍ଦ ଦାଶ ଯୋଗଦେଇ ଥିଲେ । ପୂର୍ବରୁ ଏକ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରୁ ୧୮୦ କ୍ରିଡାବିତ୍ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ପରିଚାଳନା କରୁଛନ୍ତି । ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ବିଦ୍ୟାଧର ପ୍ରଧାନ ଉପସ୍ଥିତ ରହି ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । କ୍ରୀଡା ପ୍ରତିଭା ମନୋନୟନରେ ୬ଜଣ କ୍ରିଡ଼ା ଶିକ୍ଷକ/ଶିକ୍ଷୟିତ୍ରୀ ବିଚାରକ ଭାବେ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ, କ୍ରୀଡାବିତ୍ ମାନେ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।