ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ

ଜଗତପୁର (ଏନ୍.ଏମ୍.): ପବିତ୍ର ଦିପାବଳୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି । କେଉଁଠି ଦୀପ ପ୍ରସ୍ତୁତି ଚାଲିଛି ତ ଆଉ କେଉଁଠି ବାଣ । ତେବେ ବାଣ ବିକ୍ରି ଉପରେ କଟକଣା ରହିଥିବାବେଳେ କେବଳ ପୁଲିସ ପ୍ରଶାସନର ଅନୁମତି ନେଇ ବାଣ ଦୋକାନ ଖୋଲୁଛି । କିନ୍ତୁ ବିଭିନ୍ନ ସ୍ଥାନରେ ବେଆଇନ ବାଣ ତିଆରି ଚାଲୁଥିବା ଜଣାପଡ଼ିବା ପରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଉଛି । ବିଶେଷ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଘରେ ଘରେ ବାଣ ତିଆରି ହେଉଥିଲେ ମଧ୍ୟ ଏମାନେ ବାଣ ତିଆରି ପାଇଁ କୌଣସି ଲାଇସେନ୍ସ ନାହିଁ । ତେଣୁ ଏହି ବେଆଇନ ବାଣ ତିଆରିକୁ ସମ୍ପୂର୍ଣ୍ଣ ରୋକିବା ନିମନ୍ତେ ଜଗତପୁର ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠା ନିଆଯାଉଛି । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଘରେ ଘରେ ବାଣ ତିଆରି ହେଉଥିଲେ ମଧ୍ୟ କାହାରି ପାଖରେ ଲାଇସେନ୍ସ ନାହିଁ । ତେଣୁ ବିଳମ୍ବିତ ରାତିରେ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ନାଥ ମେହେରଙ୍କ ତତ୍ତ୍ୱାବଧାନରେ ଆଜି ସାଲେପୁର ବ୍ଲକର ତ୍ରିଲୋଚନପୁର, ଚମ୍ପତି, ପଦ୍ମପୁର ଗାଁରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ବହୁ ପରିମାଣରେ ତାଳ ଫୋଟକା, ଘରି, ହାବେଳି, ମହତାବ, ରକେଟ, ଶୂନଫୋଟକା, ଫୁଲଝରି, ଛୋଟ ଗଡ଼ମା, ବଡ଼ ଗଡ଼ମା ଭଳି ବିଭିନ୍ନ କିସମର ବାଣ ସହିତ ବିପୁଳ ପରିମାଣର ବାରୁଦ ମଧ୍ୟ ଜବତ ହୋଇଛି । ତେବେ ଏହି ଅଞ୍ଚଳରେ ଲୋକେ ବାଣ ତିଆରି କରି ଜିଲ୍ଲାର ବିଭିନ୍ନ ବ୍ଲକ ତଥା ଜିଲ୍ଲା ବାହାରକୁ ମଧ୍ୟ ପଠାଯାଏ । ତେବେ ଏ ନେଇ ଜଗତପୁର ଥାନା ବାଣ ତଥା ବାଣ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ ଜବତ କରାଯିବା ସହ ବେଆଇନ ବାଣ ତିଆରି ଅଭିଯୋଗରେ ୬ଜଣଙ୍କୁ ଅଟକ ରଖାଯାଇଛି । ତେବେ ବିନା ଲାଇସେନସରେ ବାଣ ବିକ୍ରି ମଧ୍ୟ କରାଯାଇ ପାରିବ ନାହିଁ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏଥି ପାଇଁ ପୁଲିସ ପ୍ରଶାସନ ଠାରୁ ଅନୁମତି ନେବା ସହ ଜନବସତି ଠାରୁ ଦୂରରେ ଏବଂ ଅଗ୍ନିନିର୍ବାପକ ସାମଗ୍ରୀ ମହଜୁଦ ରଖି ବାଣି ଦୋକାନ ଖୋଲି ପାରିବେ ବୋଲି ଜଗତପୁର ଥାନା ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି ।