ଜଗତପୁର କେନାଲବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଜଗତପୁର ୪୮ନମ୍ବର ୱାର୍ଡ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ହାଇଲେବୁଲ କେନାଲର ଜିରୋପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏଥିଯୋଗୁ ଯାତୟାତରେ ସମସ୍ୟା ହେଉଥିବା ବେଳେ ଅନେକ ସମୟରେ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଛି । ପ୍ରତିିଦିନ ବହୁ ସଂଖ୍ୟକ ଲୋକ ଜଗତପୁର ପୁରୁଣା ଶିଳ୍ପାଞ୍ଚଳ, ନିମପୁର ମେଡିକାଲ, ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟ ଓ ମୁଖ୍ୟ ବଜାରକୁ ଯିବା ପାଇଁ ମୁଖ୍ୟତ ଏହି କେନାଲ ବନ୍ଧ ରାସ୍ତା ଉପରେ ନିର୍ଭର କରିଥାନ୍ତି । ବିଦ୍ୟାଳୟରେ ପାଠପଢୁଥିବା ଛାତ୍ର ଛାତ୍ରୀମାନେ ନିମପୁର ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଭାରତୀୟ ବିଦ୍ୟାନିକେତନକୁ ନେବା ଆଣିବା ପାଇଁ ସେମାନଙ୍କ ଅବିଭାବକ ମାନେ ଗାଡି ମୋଟର ନେଇ ସ୍କୁଲକୁ ନେବା ଆଣିବା ପାଇଁ ଏହି ବିପଦ ସଂଙ୍କୁଳ ରାସ୍ତାରେ ବାଧ୍ୟହୋଇ ଯିବାକୁ ପଡିଥାଏ । ଏହି ଖାଲ ଢିପ ରାସ୍ତା ଯୋଗୁଁ ସାଧାରଣ ଲୋକେ ନାନାଦି ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହେବା ଯୋଗୁଁ ଗାଡି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଦୀର୍ଘ ଦିନ ଧରି ଏହି ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପ୍ରାୟତଃ ଏହି ଦୁଇ କିଲୋମିଟର ରାସ୍ତାକୁ କାହିଁକି ମରାମତି କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷକରି ଏହି ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ରାତି ସମୟରେ ଅଧିକ ଦୁର୍ଘଟଣାମାନ ଘଟୁଛି । ବଡ ବଡ ଗର୍ତ୍ତ ସାଙ୍ଗକୁ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହି କେନାଲ ବନ୍ଧ ରାସ୍ତାକୁ ଲାଗି ଫକୀରପୁର ଓ ଭୂବନପୁରର ମୁଖ୍ୟ ଡ୍ରେନ ଏହି କେନାଲ ବନ୍ଧ ରାସ୍ତା କଡରେ ଯାଇ ଥିବାରୁ ସେହି ଡ୍ରେନର ପୁନଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଡ୍ରେନ ଅପରିଷ୍କାର ଜଳ ପାଇପ ଯୋଗେ ଏହି ରାସ୍ତା ଦେଇ କେନାଲ ମଧ୍ୟକୁ ଛଡାଯାଉଛି । ଯାହାକି କେନାଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ନାନାଦି ସମସ୍ୟାର ସମ୍ମୁଖିନ ହେଉଛନ୍ତି ଏବଂ ଏହି କେନାଲ ରୋଡ ରାସ୍ତା ଖାଇଯାଉଛି । ଆଉ ସ୍ଥାନେ ସ୍ଥାନେ ଡ୍ରେନର ପଙ୍କ କାଦୁଅ ଗୁଡିକୁ ରାସ୍ତା ଉପରେ ଗଦା ଯାଇଥିବା ଦେଖବାକୁ ମିଳିଛି । ଆଉ କେତେକ ସ୍ଥାନରେ କେନାଲ ଆଡକୁ ରାସ୍ତା ଧସେଇ ଯାଇଥିବା ମରଣଯନ୍ତା ପାଲଟିଛି । ଖୁବ ଶିଘ୍ର ଏହି ପଙ୍କ ଓ ଅଳିଆ ଆବର୍ଜନା ତୁରନ୍ତ ଉଠାଯିବା ସହ ଏହି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ହାଇଲେବୁଲ କେନାଲ ବନ୍ଧରେ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସିମାନେ ଦୃଢ ଦାବି କରିଛନ୍ତି ।