ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା
#ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ବିଶେଷ କରି ଚୌଦ୍ୱାର ପୌରାଞ୍ଚଳରେ ବିଜେଡି ଲୋକ ପ୍ରତିନିଧିଙ୍କ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଚୌଦ୍ୱାର ପୌର ପରିଷଦରେ ଶାସକ ଦଳର ଜଣେ ନିର୍ବାଚିତ କାଉନସିଲର ପଦରୁ ଇସ୍ତଫା ଦେଇଥିବାବେଳେ ତାଙ୍କୁ ଦଳୀୟ କର୍ମକର୍ତ୍ତା, ପୂର୍ବତନ ବିଧାୟକ, ବିଧାୟକ ବହୁ ବୁଝାସୁଝା ପରେ ଇସ୍ତଫା ପତ୍ରକୁ ପ୍ରତ୍ୟାହାର କରିଥିଲେ । ତେବେ ଏହି ଘଟଣା ଯୋଗୁ ଶାସକ ଦଳରେ ତିବ୍ର ଅସନ୍ତୋଷ ଥିବା ସ୍ପଷ୍ଟ ହୋଇଥିଲା । ତେବେ ଏଭଳି ଘଟଣାର ମାସ କେଇଟା ନପୁରୁଣୁ ଆଜି ଚୌଦ୍ୱାର ବିଜେଡି ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ବିଷ୍ଣୁଚରଣ ପରିଡା ଉଭୟ ପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରିବା ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଇଛି । ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ଦଳରେ ଏଭଳି ବିଶୃଙ୍ଖଳା, ଅସନ୍ତୋଷ ଏବଂ ଇସ୍ତଫା ଦେବା ଚିନ୍ତା କରିବା ହୁଏତ ଆଗାମୀ ଦିନରେ ଦଳ ପାଇଁ କ୍ଷତିକାରକ ହେବ ବୋଲି ବହୁ ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି । ଶ୍ରୀ ପରିଡ଼ା ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିବାବେଳେ ଏବେ ଚୌଦ୍ୱାର ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ବହନ କରୁଥିଲେ । ତେବେ ଏମିତି କ’ଣ ଘଟିଲା ଯେ, ତାଙ୍କ ଭଳି ଜଣେ ବିଜେଡିକୁ ଭଲ ପାଉଥିବା ବ୍ୟକ୍ତି ହଠାତ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ତେବେ ଏ ନେଇ ଶ୍ରୀ ବେହେରା ନିଜ ମନରେ କିଛି ଅସନ୍ତୋଷ ଥିବା ପ୍ରକାଶ କରିଥିବାବେଳେ ବିଧାୟକ ସୌଭିକ ବିଶ୍ୱାଳ ଏ ନେଇ ତାଙ୍କ ଠାରୁ ବିଧିବଦ୍ଧ ସୂଚନା ପାଇନଥିବା ଏବଂ ଘଟଣା ସତ୍ୟ ହୋଇଥିଲେ ଖୁବ ଶିଘ୍ର ଏହାର ସମାଧାନ ହେବ ବୋଲି ପ୍ରକାଶ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ଦଳରେ ଆଦୌ ବିଶୃଙ୍ଖଳା ନାହିଁ । ଯଦି କିଛି ଅସନ୍ତୋଷ ଥାଏ ତେବେ ତାହାକୁ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ କହିଛନ୍ତି ।