ଚାଟ ଘୁଘୁନି ହେଲା ଶେଷ ଖାଇବା: ପୁଅଝିଅ ମୃତ ବାପ ମା’ ଗୁରୁତର
ଆଠଗଡ଼(ଏନ୍.ଏମ୍.): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣ ଶିଶୁ ମୃତ୍ୟୁବରଣ କରିଥିବାବେଳେ ପିତାମାତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଭଳି ଘଟଣା ସମଗ୍ର ବଡ଼ମ୍ବା ଅଞ୍ଚଳରେ ଶୋକ ଛାୟା ଖେଳାଇ ଦେଇଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ମାଣିଆବନ୍ଧ ଅଧିନସ୍ଥ ଅଭିମାନପୁର ବୀରବରପୁର ଗାଁରେ । ଗାଁର ଗୋବିନ୍ଦ ପାତ୍ରଙ୍କ ପରିବାରରେ ଚାଟ ଘୁଘୁନି ଭାତ ଖାଇ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ । ପ୍ରଥମେ ମାଣିଆବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କୁନିକୁନି ପୁଅ ଝିଅ ଦୁଇଜଣଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଜି ପୂର୍ବାହ୍ନ ୯ଘଟିକା ସମୟରେ ଝିଅ ରୁଚିକା(୭ବର୍ଷ) ଏବଂ ପୂର୍ବାହ୍ନ ୧୧ଘଟିକାରେ ପୁଅ ରୁଦ୍ର(୧୧ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା । ତେବେ ଭାଇ ଭଉଣୀ ମୃତ୍ୟୁଶଯ୍ୟାରେ ଥିବାବେଳେ ବାପା ଗୋବିନ୍ଦ (୪୬ବର୍ଷ) ଏସସିବିରେ ଓ ମା’ ରୁପା (୪୩ ବର୍ଷ) ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତେବେ ବାପା ଓ ମା’ଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିବା ଜଣାପଡ଼ିଛି ।
ସୂଚନା ଯୋଗ୍ୟ ଯେ, ଗୁରୁବାର ରାତିରେ ମା’ ରୁପା ପାତ୍ର ନିଜ ହାତରେ ତିଆରି କରିଥିଲେ ଚାଟ, ଘୁଗୁନି ଓ ଭାତ । ସମସ୍ତେ ଆନନ୍ଦ ଉଲ୍ଲାସର ସହ ଖାଇଥିଲେ । ଏହା ପରଦିନ ପୂରା ପରିବାର ଝାଡ଼ାବାନ୍ତିରେ ପଡ଼ିଥିଲେ । ଶୁକ୍ରବାର ଦିନ ସକାଳେ ଏକ ଅଟୋ ଯୋଗେ ସମସ୍ତେ ମାଣିଆବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଭାଇ-ଭଉଣୀଙ୍କ ମୃତ ଦେହ ଗାଁରେ ପହଞ୍ôଚବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।