ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା

ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା

ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା
ଗାଈମାନଙ୍କୁ ପ୍ରତିଷେଧକ ଟୀକା ସହିତ ଗୋପାଳନଙ୍କୁ ସଚେତନତା ଉପରେ ଗୁରୁତ୍ୱ


କଟକ(ଏନ୍‍.ଏମ୍‍.): ରାଜ୍ୟରେ ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପ୍ରତି ରାଜ୍ୟର କେତେକ ସ୍ଥାନରେ ଗାଈ ଗୋରୁଙ୍କ ଠାରେ ଏକ ଭୂତାଣୁ ଜନିତ ଚର୍ମବିଣ୍ଡି ରୋଗ ଦେଖାଦେଇଛି । ଏହାର ନିରାକରଣ ପାଇଁ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର ୫୪୧ ପ୍ରାଣିଚିକିତ୍ସାଳୟ, ୩୨୩୯ ପ୍ରାଣିସମ୍ପଦ ସହାୟକ କେନ୍ଦ୍ର ଓ ୩୧୪ ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ ମାଧ୍ୟମରେ ଆକ୍ରାନ୍ତ ଗାଈଗୋରୁଙ୍କ ଚିକିତ୍ସା କରାଯାଉଥିବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିକିତ୍ସା ପରେ ଗାଈଗୋରୁ ମାନେ ସୁସ୍ଥ ହେଉଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଗୋଟ୍ ପକ୍ସ ଭାକ୍ସିନ ମାଧ୍ୟମରେ ଗାଈଗୋରୁଙ୍କ ଟିକାକରଣ କରାଯାଉଛି । ଏହି ରୋଗରେ ପ୍ରାୟତଃ ଗାଈଗୋରୁଙ୍କ ମୃତ୍ୟୁ ହୁଏନାହିଁ । ତେଣୁ କୌଣସି ଗୁଜବକୁ ନଶୁଣି ଓ ଭୟଭୀତ ନହୋଇ ନିଜ ଗୋରୁଗାଈଙ୍କ ଯତ୍ନ ନେବାକୁ ଗୋପାଳକମାନଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ୱାରା ସଚେତନ କରାଯାଉଛି । କୌଣସି ଅଞ୍ଚଳରେ ଏ ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସକ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଖବର ଦେବାକୁ ଏବଂ ପ୍ରତି ବ୍ଲକରେ ଉପଲବ୍ଧ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବାର ସୁଯୋଗ ନେବାକୁ ବିଭାଗ ତରଫରୁ କୁହାଯାଇଛି ।
ରାଜ୍ୟରେ ଚଳିତ ମାସ ୧୦ତାରିଖ ସୁଦ୍ଧା ୧୦,୦୪୭ ଗୋରୁଗାଈଙ୍କ ଶରୀରରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଦେଖାଦେଇଥିଲା । ସେ ମଧ୍ୟରୁ ୪,୮୩୭ ଗୋରୁଗାଈ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । କେବଳ ୧୦ତାରିଖ ଦିନ ୬୨୬ ଗୋରୁଗାଈ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ଅନ୍ୟ ଆକ୍ରାନ୍ତ ଗୋରୁଗାଈଙ୍କ ଚିକିତ୍ସା ମତ୍ସ୍ୟ ଓପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ୱାରା ଚାଲୁରହିଛି । ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଗତକାଲି ୬୭,୪୦୦ ଗୋରୁଗାଈଙ୍କ ଟିକାକରଣ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯନ୍ତ ୬,୩୨,୮୦୦ ଗୋରୁଗାଈଙ୍କୁ ଟିକାକରଣ କରାଯିବା ସହ ଏହା ଚାଲୁରହିଛି । ଚର୍ମବିଣ୍ଡି ରୋଗ ସଂକ୍ରମଣ ରୋକିବାକୁ ବାଲେଶ୍ୱର, ବରଗଡ଼, ଦେବଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡା ଓ ସୁନ୍ଦରଗଡ ପରି ରାଜ୍ୟର ସୀମାନ୍ତ ଜିଲ୍ଲ ମାନଙ୍କରେ ଗୋରୁଗାଈଙ୍କ ଆନ୍ତଃରାଜ୍ୟ ନେବା ଆଣିବାକୁ ନିଷେଧ କରାଯାଇଛି । ରାଜ୍ୟରେ ଗୋରୁଗାଈଙ୍କ ପ୍ରଦର୍ଶନୀ, ମେଳା ଓ ଗୋରୁହାଟ ବନ୍ଦ କରାଯାଇଛି । ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ‘ଆମ କୃଷି’ ମାଧ୍ୟମରେ ପଞ୍ଜିକୃତ ୯,୮୭,୨୬୬ ପ୍ରାଣୀ ପାଳକମାନଙ୍କୁ ଚର୍ମବିଣ୍ଡି ରୋଗର ନିରାକରଣ, ପ୍ରତିଷେଧକ, ଚିକିତ୍ସା ଓ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ଭଏସ ମେସେଜ ମାଧ୍ୟମରେ ସଚେତନ କରାଯାଉଛି । ରାଜ୍ୟ ସରକାରଙ୍କ ଟେଲି ଭେଟନାରୀ ସର୍ଭିସକୁ ଗୋପାଳକମାନେ ଟୋଲଫ୍ରି ନମ୍ବର ୧୯୬୨ ଓ ୧୫୫୩୩୩ ମାଧ୍ୟମରେ କଲ କରିବାକୁ ପରାମର୍ଶ ଦିଆଯାଇଛି । ରୋଗ ନିରାକରଣ ପାଇଁ ନିଆଯାଉଥବା ପଦକ୍ଷେପ ସମ୍ବନ୍ଧରେ ନଜର ରଖୁବା ପାଇଁ ଓ ଆବଶ୍ୟକ ସ୍ଥଳେ ପରାମର୍ଶ ଯୋଗାଇଦେବା ପାଇଁ ରାଜ୍ୟ ସ୍ତରରେ ଓ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ କାର୍ଯ କରୁଛି । ସାମାଜିକ ଗଣମାଧ୍ୟମ ଯଥା: ଟୁଇଟର, ଫେସବୁକ ଓ ହ୍ୱାଟସଆପ ମାଧ୍ୟମରେ ଲୋକଙ୍କ ମଧ୍ୟରେ ରୋଗ ନିରାକରଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି । ବିଭାଗ ତରଫରୁ କୁହାଯାଇଛି ଯେ: ଗାଈଗୋରୁଙ୍କ ଚର୍ମବିଣ୍ଡି ରୋଗ ବା ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ । ମଶା, ଡାଆଁଶ ଓ ଟିକମାନେ ଏ ରୋଗର ବାହକ ଏବଂ ଘା’, ରକ୍ତ, ଲାଳ, ସିଙ୍ଘାଣି ଓ ଶୁକ୍ଳ ଦ୍ୱାରା ଏହି ରୋଗ ଗୋଟିଏ ପଶୁର ଶରୀରରୁ ଅନ୍ୟ ପଶୁର ଶରୀରକୁ ସଂକ୍ରମିତ ହୋଇଥାଏ । ଏହି ରୋଗରେ ଗାଈଗୋରୁଙ୍କ ମୁଣ୍ଡ, ବେକ, ଗୋଡ ଓ ପଦ୍ମାରେ ଆବୁ ବାହାରେ, ଆବୁ ଗୁଡିକ ଫାଟି ଘା’ ସୃଷ୍ଟି କରେ । ଆକ୍ରାନ୍ତ ଗାଈଗୋରୁ ଜ୍ୱରରେ ପଡ଼ନ୍ତି ଓ ଚାଲିବାରେ କଷ୍ଟ ଅନୁଭବ କରିଥାନ୍ତି । ଆଶୁଚିକିତ୍ସା ପ୍ରଦାନ କଲେ ଏହି ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ସାଧ୍ୟ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ରୋଗରେ ପ୍ରାୟତଃ ଗାଈଗୋରୁଙ୍କ ମୃତ୍ୟୁ ହୁଏନାହିଁ । ଗୋପାଳକମାନେ ଭୟଭୀତ ନହୋଇ ନିଜ ଗୋରୁଗାଈଙ୍କ ଯତ୍ନ ନେବାକୁ କୁହାଯାଇଛି । ଆକ୍ରାନ୍ତ ଗୋରୁଗାଈଙ୍କୁ ସୁସ୍ଥ ପଶୁଙ୍କ ଠାରୁ ଦୂରରେ ରଖିବା, ରୋଗ ଲାଗିଥିବା ସମୟରେ ଗୋରୁଗାଈଙ୍କ କିଣାବିକା ନକରିବା ଓ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ ନାହିଁ । ଆକ୍ରାନ୍ତ ପଶୁଙ୍କୁ ଅନ୍ୟ ପଶୁଙ୍କ ସହ ଚରିବାକୁ ନଛାଡିବା, ଗୁହାଳ ପରିଷ୍କାର ରଖିବା ସାଙ୍ଗକୁ ଗୁହାଳ କାନ୍ଥରେ ଥିବା ଫାଟଗୁଡିକୁ ଆବଦ୍ଧ କରିବା, ଗୁହାଳ ଚତୁଃପାର୍ଶ୍ୱରେ ପାଣି ଜମିବାକୁ ନଦେବା, ଗୁହାଳ ଠାରୁ ଉପଯୁକ୍ତ ଦୂରତାରେ ଗୋବର ପକାଇବାର ବ୍ୟବସ୍ଥା କରିବା, ଗାଈଗୋରୁଙ୍କୁ ଉପଯୁକ୍ତ ପରିମାଣର ଦାନା ଓ ସବୁଜ ଘାସ ଖାଇବାକୁ ଦେବା, ପିଇବା ପାଇଁ ପର୍ଯ୍ୟାପ୍ତ ପରିମାଣ ସ୍ୱଛ ପାଣିର ବ୍ୟବସ୍ଥା କରିବା, ଆବୁ ଫାଟି ଘା’ ସୃଷ୍ଟିହେଲେ ସେଥିରେ ମାଛି ରୋଧକ ଆଣ୍ଟିସେପ୍ଟିକ ମଲମ ଲଗାଇବାର ବ୍ୟବସ୍ଥା କରନ୍ତୁ । ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀଚିକିତ୍ସକ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଖବର ଦେବା ପ୍ରତି ବ୍ଲକରେ ଉପଲବ୍ଧ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବାର ସୁଯୋଗ ନେବା ନିମନ୍ତେ ପରାମର୍ଶ ଦିଆଯାଇଛି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ