ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦ୍‌ଘାଟିତ

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦ୍‌ଘାଟିତ

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦ୍‌ଘାଟିତ


#ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି । ଏସିଆର ସର୍ବବୃହତ୍ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ ବିଚରଣସ୍ଥଳୀ । ଏହି ମହୋତ୍ସବ ପକ୍ଷୀପ୍ରେମୀମାନଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀମାନଙ୍କୁ ଜାଣିବାର ସୁଯୋଗ ଆଣିଦେବ । ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଦିଗନ୍ତ ଆଣିଦେବ ବୋଲି ଉଲ୍ଲେଖ କରିଛନ୍ତି । ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ ହୋଇଥିଲା । ଏଥିରେ ଫଟୋଗ୍ରାଫର ଶକ୍ତି ନନ୍ଦ, ଉମାକାନ୍ତ ବିଶ୍ୱାଳ, ଧୃତିମାନ୍ ମୁଖାର୍ଜୀ ଏବଂ ଅନ୍ୟ ପ୍ରସିଦ୍ଧ ଫଟୋଗ୍ରାଫରଙ୍କ କୃତିକୁ ସ୍ଥାନିତ କରାଯାଇଛି । ଚିଲିକାରେ ନୌବିହାର କରୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଚରଣ ଓ ବିଭିନ୍ନ ସମୟର ମନମୁଗ୍ଧକର ଫଟୋଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି । ଏଥିରେ ଫଟୋଗ୍ରାଫରଙ୍କ କେବଳ କଳାକୃତି ନୁହେଁ ବରଂ ଚିଲିକାର ଜୈବବିବିଧତାକୁ ନିଖୁଣ ଭାବେ ସ୍ଥାନିତ କରାଯାଇଛି । ଏହି ତିନିଦିନିଆ ଉତ୍ସବରେ ଦେଶର ବଛା ବଛା ୫୨ ଜଣ ପକ୍ଷୀପ୍ରେମୀ ଭାଗ ନେଇଥିଲେ । ଏଥି ସହ ବିଭିନ୍ନ କର୍ମଶାଳା ଏବଂ ପକ୍ଷୀ ବିଶେଷଜ୍ଞମାନଙ୍କ ସହ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।
ଏହି ଅବସରରେ ଉଦ୍‌ବୋଧନ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ, ରାଜ୍ୟର ଆର୍ଦ୍ରଭୂମିର ସୁରକ୍ଷା ଓ ପକ୍ଷୀ ସଂରକ୍ଷଣ ଦିଗରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାରୁ ଆଜି ଏହି ଉତ୍ସବ ତା’ର ଏକ ସଫଳତାର ନିଦର୍ଶନ ବହନ କରୁଛି । ଚଳିତ ବର୍ଷ ପକ୍ଷୀ ଗଣନା ଅନୁଯାୟୀ ୧୮୭ ପ୍ରଜାତିର ପ୍ରାୟ ୧୧ଲକ୍ଷ ୩୭ ହଜାର ପକ୍ଷୀ ଆସିଥିବା ଗଣନା କରାଯାଇଛି । ମଙ୍ଗଳାଯୋଡ଼ି ଓ ନଳବଣକୁ ଏହି ଯାତ୍ରାରେ ସାମିଲ ହୋଇଥିବା ଅଂଶଗ୍ରହଣକାରୀ, ପକ୍ଷୀପ୍ରେମୀ, ଫଟୋଗ୍ରାଫର ଏବଂ ପ୍ରତିନିଧି ମଣ୍ଡଳୀକୁ ସେ ସ୍ୱାଗତ କରୁଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି କହିଲେ ଯେ, ଚିଲିକାର ମଙ୍ଗଳାଯୋଡ଼ି ହେଉଛି ଗୋଷ୍ଠୀଭିତ୍ତିକ ଜୈବବିବିଧତାର ସୁରକ୍ଷା ଓ ପକ୍ଷୀମାନଙ୍କୁ ଦେଖିବାର ଏକ ଉତ୍କୃଷ୍ଟ ସ୍ଥାନ । ଚିଲିକାରେ ଥିବା ଅବରୋଧକୁ ହଟାଯାଇ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପକ୍ଷୀ-ପର୍ଯ୍ୟଟନ ନିମନ୍ତେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଡ. ମହାନ୍ତି ଉଲ୍ଲେଖ କରିଥିଲେ । ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ପରିବେଶ ସଂରକ୍ଷଣ ଓ ପର୍ଯ୍ୟଟନ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ଚିଲିକା ବିହଙ୍ଗ ଉତ୍ସବ ଏକ ଭିନ୍ନ ବାର୍ତ୍ତା ଦେଉଥିବା କହିଥିଲେ । ଚଳିତ ବର୍ଷ ଏହି ଅଭିଯାନରେ ଡଙ୍ଗାଚାଳକମାନଙ୍କୁ ସାମିଲ କରାଯାଇ ଜୈବବିବିଧତାର ସୁରକ୍ଷା କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଇଛି । ଏଥି ସହ ସମାନ୍ତରାଳ ଭାବେ ନନ୍ଦନକାନନ, ଏକାମ୍ର ଆଦି ଅଞ୍ଚଳରେ ବିହଙ୍ଗ ଉତ୍ସବ ମଧ୍ୟ ପାଳନ କରାଯାଉଥିବା ସେ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନନ୍ଦନକାନନ ନିର୍ଦ୍ଦେଶକ ଡ. ମନୋଜ ନାୟାର ଧନ୍ୟବାଦ ଅର୍ପଣ କରିଥିଲେ । ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ସୁରେଶ କୁମାର, ପ୍ରସିଦ୍ଧ ଲେଖକ ଓ ପକ୍ଷୀପ୍ରେମୀ ପଞ୍ଚମୀ ମନୁ ଉକିଲ୍ ପ୍ରମୁଖ ଯୋଗଦେଇ ଚିଲିକାର ଜୈବବିବିଧତା, ବୈଜ୍ଞାନିକ ଗବେଷଣା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପକ୍ଷୀ ପର୍ଯ୍ୟଟନ ଅନୁଭୂତି ନିଆରା ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବ ଅବସରେରେ ଆସନ୍ତା ଦୁଇଦିନ ଧରି ଅଂଶଗ୍ରହଣକାରୀ ଓ ପ୍ରତିନିଧି ମଣ୍ଡଳୀ ମଙ୍ଗଳାଯୋଡ଼ି ଓ ନଳବଣରେ ପକ୍ଷୀ-ପର୍ଯ୍ୟଟନରେ ଅଂଶଗ୍ରହଣ କରିବେ । ଉଦ୍‌ଘାଟନୀ ଉତ୍ସବରେ ଦ ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ବାର୍ଡ ପୋଷ୍ଟର ଓ ଭିଡ଼ିଓ ଉନ୍ମୋଚିତ ହୋଇଛି । ଏଥିରେ ଭାରତରେ ଦେଖାଯାଉଥିବା ବିଭିନ୍ନ ପକ୍ଷୀମାନଙ୍କ ସମ୍ପର୍କରେ ଏଥିରେ ଉଲ୍ଲେଖ ରହିଛି । ପ୍ରାୟ ୧୩ ହଜାର ପକ୍ଷୀପ୍ରେମୀ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ