ଘୋଷଣା କଲା ମାଇକ୍ରୋସଫ୍ଟ: ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର

ଘୋଷଣା କଲା ମାଇକ୍ରୋସଫ୍ଟ: ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର

ନୂଆଦିଲ୍ଲୀ (ଏଜେନ୍ସି): କାଳର ପରିବର୍ତ୍ତନରେ ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର । ଏହି ୱେବ୍ ବ୍ରାଉଜର ଆସନ୍ତା ୨୦୨୨ମସିହାରେ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ୨୦୨୧ ମସିହା ଜୁନରେ ଇଣ୍ଟରନେଟ୍ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଶୁଣିବାକୁ ମିଳିଥିଲା । ମାତ୍ର ଏବେ ମାଇକ୍ରୋସଫ୍ଟ ନିଜେ ଏ ସମ୍ପର୍କରେ ଘୋଷଣା କରିବା ସହିତ ୨୫ ବର୍ଷ ପୁରୁଣା ଏହି ୱେବ୍ ବ୍ରାଉଜରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହି ୱେବ୍ ବ୍ରାଉଜର ଆଜିର ସମୟରେ ଅନ୍ୟ ବ୍ରାଉଜର ସାମ୍ନାରେ ତିଷ୍ଠିବା କଷ୍ଟକର ହୋଇପଡ଼ୁଛି । ୨୦୦୩ରେ ମାଇକ୍ରୋସଫ୍ଟର ଏହି ୱେବ ବ୍ରାଉଜର ଶୀର୍ଷରେ ରହିଥିଲା । ଇଣ୍ଟରନେଟ୍ ଏକ୍ସପ୍ଲୋରର ଯେତେବେଳେ ଲଞ୍ଚ ହୋଇଥିଲା, ସେତେବେଳେ ଖୁବ କମ୍ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ । ଇଣ୍ଟରନେଟରେ କାମ କରିବାରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହି ବ୍ରାଉଜର ବଜାରକୁ ଆସିବା ପରେ ଲୋକଙ୍କୁ ୱେବସାଇଟରେ କାମ କରିବା ସହଜ ହୋଇଥିଲା; ଫଳରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଲା । ଏପରିକି ପୁଲିସକୁ ରେକର୍ଡ ରଖିବାରେ, ଛାତ୍ରଙ୍କ ନିକଟରେ ଅଧ୍ୟୟନ ସାମଗ୍ରୀ ପହଞ୍ଚାଇବା ଭଳି କାର୍ଯ୍ୟରେ ଏହା ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ମାଇକ୍ରୋସଫ୍ଟର ଇଣ୍ଟରନେଟ ଏକ୍ସପ୍ଲୋରର ବିଶ୍ୱର ସମସ୍ତ କମ୍ପ୍ୟୁଟର ଏବଂ ଲାପଟପରେ ପୂର୍ବରୁ ସଂସ୍ଥାପିତ ହୋଇଥାଏ । ହେଲେ ଏବେ କ୍ରୋମ ଏବଂ ମୋଜିଲା ଫାୟାରଫକ୍ସ ନିୟମିତ ଭାବେ ନିଜକୁ ଅପଡେଟ୍ କରିବା ସହ ଅନେକ ନୂଆ ବିଶେଷତ୍ୱ ଆଣିଲେ । ଯେଉଁଥିପାଇଁ ଲୋକମାନଙ୍କ ନିକଟରେ ଏଗୁଡ଼ିକ ଅଧିକ ଆଦୃତ ହେଲା । କ୍ରୋମରେ ଗୁଗଲ ଅନୁବାଦ ସମେତ ଅନେକ ବିଶେଷତ୍ୱ ରହିଛି । ଯେଉଁଥିପାଇଁ ଲୋକମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି । ତେବେ ଇଣ୍ଟରନେଟ ଏକ୍ସପ୍ଲୋରର ବର୍ତ୍ତମାନ ସହିତ ତାଳ ଦେଇ ପାରିନଥିବା ଯୋଗୁଁ ଏହାକୁ ବନ୍ଦ କରାଯିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ଶିକ୍ଷା ଓ ନିଯୁକ୍ତି