ଘାସ କାଟିବା ବେଳେ ବଜ୍ରପାତରେ ଚାଲିଗଲା ଜୀବନ!
ଚୌଦ୍ୱାର (ଏନ୍.ଏମ୍.): ଜଣେ ବ୍ୟକ୍ତି ଗାଈ ପାଇଁ ଘାସ କାଟିବା ନିମନ୍ତେ ବିଲକୁ ଯାଇଥିବା ବେଳେ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଛି! ମୃତ ବ୍ୟକ୍ତି ଜଣକ ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମର ରଘୁନାଥ ବେହେରା(୬୦) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ରଘୁନାଥ ଭୋରୁ ଭୋରୁ ବିଲକୁ ଘାସ କାଟିବାକୁ ଚାଲିଯାଇଥିଲେ । ହେଲେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରଲୋକ ଖୋଜାଖୋଜି କରିଥିଲେ । ତେବେ ଦୀର୍ଘ ସମୟ ଧରି ଧାନ ବିଲରେ ଖୋଜାଖୋଜି କରିବା ପରେ ତାଙ୍କର ମୃତ ଦେହ ମିଳିଥିଲା । ତେବେ ପାରିପାଶ୍ୱିର୍କ ଅବସ୍ଥାକୁ ଅନୁଧ୍ୟାନ କରି ବଜ୍ରପାତରେ ମୃତ୍ୟୁବରଣ କରିଥିବା କୁହାଯାଉଛି । ଆଜି ସକାଳେ ଘଡ଼ଘଡ଼ି ସହ ବର୍ଷା ହୋଇଥିବାରୁ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି ।